‘ଖୋଲା ହୋବେ’ ହିଂସାର ନାରା ଥିଲା: ଧର୍ମେନ୍ଦ୍ର

ଭୁବନେଶ୍ୱର, ଏନ୍ଏନ୍ଏସ୍: ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ଏବଂ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତାଙ୍କର ‘ଖେଲା ହୋବେ’ ନାରାକୁ ଟ୍ୱିଟ୍ କରି ସମାଲୋଚନା କରିଛନ୍ତି। ସେ ଲେଖିଛନ୍ତି ଯେ ଦିଦି ଦେଇଥିବା ଏହି ନାରାଟି କେବେ ବି ରାଜନୈତିକ ପ୍ରଚାର ଉଦ୍ଦେଶ୍ୟରେ ନଥିଲା ବରଂ ବିଜେପି କାର୍ଯ୍ୟକର୍ତ୍ତା ଏବଂ ସମର୍ଥକଙ୍କ ଉପରେ ଟିଏମ୍ସି କ୍ୟାଡରଙ୍କ ଅସଭ୍ୟ, ନିର୍ଦ୍ଦୟୀ ଓ ଆକ୍ରମଣାତ୍ମକ ହିଂସାର ନାରା ଥିଲା। ବିଜୟକୁ ଦର୍ଶାଇବା ପାଇଁ ହିଂସା, ପୋଡ଼ାଜଳା କରିବା ଏବଂ ନାରୀମାନଙ୍କ ପ୍ରତି ଶାରୀରିକ ନିର୍ଯାତନା ଓ ଅସଦାଚରଣ ବଙ୍ଗୀୟ ଗୌରବ ପ୍ରତି ବଡ଼ ଅପମାନ। ଏଭଳି ସ୍ଥିତି ତଥାକଥିତ ଧର୍ମନିରପେକ୍ଷ ତଥା ବୁଦ୍ଧିଜୀବୀଙ୍କ ଏଜେଣ୍ଡା ସହିତ ଖାପ ଖାଉନଥିବାରୁ ସେମାନେ ଏହାକୁ ଦେଖି ମଧ୍ୟ ଆଖି ବୁଜିଦେବା ଭଳି ଛଳନା କରୁଛନ୍ତି। ଆତ୍ମଚିନ୍ତନ କରୁଥିବା ବ୍ୟକ୍ତିମାନେ ପଶ୍ଚିମବଙ୍ଗ ହିଂସାକୁ ମମତା ଦିଦିଙ୍କ ଦ୍ୱାରା ବିପର୍ଯ୍ୟୟ ବୋଲି କହିବାର ସାହାସ ରଖିବେ କି ବୋଲି ପଚାରିଛନ୍ତି ଧର୍ମେନ୍ଦ୍ର।