ଧର୍ମେନ୍ଦ୍ରଙ୍କୁ ଧନ୍ୟବାଦ ଦେଲେ ପ୍ରଣବ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରବିବାର ରାଉରକେଲା ଠାରେ ୨୦୦ ଶଯ୍ୟା ବିଶିଷ୍ଟ ଆଇଜିଏଚ୍ ସୁପର ସ୍ପେଶିଆଲିଟି ହସ୍ପିଟାଲର ଉଦ୍ଘାଟନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଉରକେଲା ଇସ୍ପାତ କାରଖାନା ସହଯୋଗରେ ଏହି ହସ୍ପିଟାଲଟି ତିଆରି ହୋଇଛି। ଏଥିରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ମଧ୍ୟ ବଡ଼ ସହଯୋଗ ରହିଛି। ଏଥିପାଇଁ ଶ୍ରୀ ପ୍ରଧାନଙ୍କୁ ଟ୍ୱିଟ୍କରି ଧନ୍ୟବାଦ ଦେଇଛନ୍ତି ଯାଜପୁର ବିଧାୟକ ତଥା ବିଜେଡି ସାଂଗଠନିକ ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ। ଶ୍ରୀ ପ୍ରଧାନଙ୍କୁ ଭାଇ ବୋଲି ସମ୍ବୋଧିତ କରି ଶ୍ରୀ ଦାସ ଏହା ଲେଖିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ରାଉରକେଲା ଠାରେ ମେଡିକାଲ କଲେଜ ପାଇଁ ପ୍ରତିଶ୍ରୁତି ଦେଇଥିବା କଥା ଶ୍ରୀ ପ୍ରଧାନଙ୍କୁ ମନେପକାଇ ପ୍ରଣବ ଲେଖିଛନ୍ତି ଯେ ମୁଁ ନିଶ୍ଚିତ ଯେ ଆପଣ ଏ ଦିଗରେ ପ୍ରୟାସ କରୁଥିବେ। ଓଡ଼ିଶାର ବିକାଶରେ ବହୁମୂଲ୍ୟ ଅବଦାନ ଥିବା ସୁନ୍ଦରଗଡ଼ବାସୀ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ପାଇବାରେ ହକଦାର୍।