ଡିଏଫଓଙ୍କୁ ଜେରା କରାଯିବ : ଗଜପତି ଏସପି

ଗଜପତି: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା ଦିନକୁଦିନ ନୂଆ ମୋଡ଼ ନେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗଜପତି ଏସପି ତପନ ପଟ୍ଟନାୟକ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସୌମ୍ୟରଞ୍ଜନଙ୍କ ପରିବାର ଲୋକେ ଦାୟର କରିଥିବା ଏତଲାରେ ଡିଏଫଓଙ୍କ ନାମ ଥିବାରୁ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ଠିକ୍ ସମୟରେ ଡିଏଫଓଙ୍କୁ ପଚରାଉଚୁରା କରାଯିବ ବୋଲି ଏସପି କହିଛନ୍ତି। ଏହା ଏକ ଜଟିଳ ମାମଲା ହୋଇଥିବାରୁ ସବୁ ଦିଗକୁ ନେଇ ଯାଞ୍ଚ କରୁଛୁ। କ୍ରାଇମବ୍ରାଞ୍ଚ ଟିମରେ ସାଇବର ଏକ୍ସପୋର୍ଟ ଥିବା ନେଇ ମଧ୍ୟ ଏସପି ସୂଚନା ଦେଇଛନ୍ତି।

ଡିଏଫଓଙ୍କ ବ୍ୟତୀତ ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କୁ ମଧ୍ୟ ପଚରାଉଚୁରା କରାଯିବ। କେଉଁ ପରିସ୍ଥିତିରେ ସୌମ୍ୟଙ୍କ ଆମ୍ବୁଲାନ୍ସ ଅଟକା ଯାଇଥିଲା ସେନେଇ ପ୍ରଶ୍ନ କରାଯିବ। ଏଥିସହିତ ସେ କ’ଣ ପାଇଁ ସେଠାକୁ ଆସିଥିଲେ ତାହା ମଧ୍ୟ ପଚରାଯିବ। କାରଣ ତାଙ୍କର ଆସିବାକୁ ନେଇ କୌଣସି ବିଭାଗୀୟ ନିର୍ଦ୍ଦେଶ ନଥିଲା ବୋଲି ଏସପି ସ୍ପଷ୍ଟ କରିଛନ୍ତି।