ଫେବୃଆରୀ ୮ରେ ଦିଲ୍ଲୀ ଭୋଟ୍

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ବିଧାନସଭା ପାଇଁ ତାରିଖ ଘୋଷଣା ହୋଇଛି । ଦିଲ୍ଲୀର ମୋଟ ୭୦ଟି ବିଧାନସଭା ଆସନ ପାଇଁ ଆସନ୍ତା ଫେବୃଆରୀ ୮ ତାରିଖରେ ଭୋଟ୍ ଗ୍ରହଣ ହେବ । ଫେବୃଆରୀ ୧୧ ତାରିଖରେ ଫଳାଫଳ ଘୋଷଣା କରାଯିବ ବୋଲି ସୋମବାର ଅପରାହ୍ନରେ ନିର୍ବାଚନ ଆୟୋଗ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହାସହିତ ଦିଲ୍ଲୀରେ ଆଚରଣ ବିଧି ଲାଗୁ ହୋଇଯାଇଛି ।

ଦିଲ୍ଲୀ ନିର୍ବାଚନରେ ମୁଖ୍ୟତଃ ତ୍ରିମୁଖୀ ଲଢେଇ ହେବ । ବର୍ତମାନ ଆମ ଆଦମୀ ପାର୍ଟି ସରକାରରେ ରହିଥିବା ବେଳେ ଉଭୟ ବିଜେପି ଓ କଂଗ୍ରେସ ରାଜଧାନୀକୁ ନିଜ ପକ୍ଷକୁ ନେବାକୁ ଚେଷ୍ଟା କରିବେ । ନିର୍ବାଚନ କମିଶନର ସୁନୀଲ ଅରୋରୋ ସୂଚନା ଦେଇ କହିଥିଲେ ଯେ ନିର୍ବାଚନ ପାଇଁ  ଆସନ୍ତା ଜାନୁଆରୀ ୧୪ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ୨୧ ଜାନୁଆରୀ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ରହିଛି । ୨୨ ତାରିଖରେ ଯାଂଚ ପରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ  । ଏହାପରେ ଫେବୃଆରୀ ୮ ତାରିଖରେ ଭୋଟିଂପରେ ୧୧ ତାରିଖରେ ଫଳାଫଳ ପ୍ରକାଶ ପାଇବ ।

 ସେ ଆହୁରି କହିଛନ୍ତି ଯେ ଦିଲ୍ଲୀ ବିଧାନସଭାର କାର୍ୟ୍ୟକାଳ ଫେବୃଆରୀ ୨୨ ତାରିଖରେ ଶେଷ ହେବ । ଦିଲ୍ଲୀର ୭୦ଟି ଆସନ ମଧ୍ୟରୁ ୫୮ଟି ସାଧାରଣ ଓ ୧୨ ଟି ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ରହିଛି । ମୋଟ୍ ୨୬୮୯ ଟି ସ୍ଥାନରେ ଭୋଟି ଗ୍ରହଣ କରାଯିବ  । ଏଥିପାଇଁ ୧୩,୭୫୦ଟି ପୋଲିଂ ବୁଥ୍ ରହିବ ଏବଂ ୯୦ ହଜାର କର୍ମଚାରୀ ଏଥିରେ ନିୟୋଜିତ ହେବେ । ରାଜଧାନୀ ଦିଲ୍ଲୀରେ ଭୋଟରଙ୍କ ସଂଖ୍ୟା ହେଉଛି ୧କୋଟି ୪୬ ଲକ୍ଷ ୯୨ ହଜାର ୧୩୬ । ସେଥିମଧ୍ୟରୁ ପୁରୁଷ ଭୋଟର ୮୦ଲକ୍ଷ୫୫ ହଜାର୬୮୬ , ମହିଳା ଭୋଟର ୬୬ ଲକ୍ଷ ୩୫ ହଜାର ୬୩୫, ତୃତୀୟ ଲିଙ୍ଗ ଭୋଟର ୮୧୫ , ଏନଆରଆଇ ଭୋଟର ୪୮୯ ଏବଂ ସର୍ଭିସ୍ ଭୋଟର ୧୧ ହଜାର ୫୫୬ ।