ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଗୁଜବ ପ୍ରଚାର କରୁଥିବା ଓକିଲ ଗିରଫ

ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମାମଲାକୁ ନେଇ ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିôବା ଜଣେ ଓକିଲଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ବିଭୋର ଆନନ୍ଦଙ୍କୁ ଆଇପିସି ଓ ଆଇଟି ଆକ୍ଟ ଆଧାରରେ ଗିରଫ କରାଯାଇଥିବା ଜଣାପଡ଼ିଛି। ସୋସିଆଲ ମିଡିଆରେ ମନଗଢ଼ା କାହାଣୀ କହିବା ଓ ଏଥିରେ ସମ୍ପୃକ୍ତ ନଥିବା ବ୍ୟକ୍ତିଙ୍କୁ ବଦନାମ କରିବା ମାମଲାରେ ମୁମ୍ବାଇ ପୁଲିସର ସାଇବର ସେଲ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ମୁମ୍ବାଇ ପୁଲିସର କ୍ରାଇମବ୍ରାଞ୍ଚ ଡିସିପି ଅକବର ପଠାନ କହିଛନ୍ତି ଯେ, ସୁଶାନ୍ତ ସିଂ ରାଜପୁତ ଓ ଦିଶା ସାଲିୟାନଙ୍କ ମୃତ୍ୟୁ ମାମଲାରେ ଅଭିଯୁକ୍ତ ବିଭୋର ଆନନ୍ଦ ମିଛ ଥିଓରୀ ପ୍ରସ୍ତୁତ କରି ପ୍ରଚାର କରୁଥିଲେ। ଏଥିସହିତ ମୁମ୍ବାଇ ପୁଲିସ ଓ ମହାରାଷ୍ଟ୍ର ସରକାରଙ୍କ ବିରୋଧରେ ମଧ୍ୟ ଆପତ୍ତିଜନକ ଭାଷା ପ୍ରୟୋଗ କରୁଥିଲେ। ମୁମ୍ବାଇ ପୁଲିସର ସାଇବର ସେଲ ବିଭୋରଙ୍କୁ ଦିଲ୍ଲୀରୁ ଗିରଫ କରି ଗୁରୁବାର ରାତିରେ ମୁମ୍ବାଇ ଆଣିଥିଲେ।