କଟକ ସହରରେ ହ୍ରାସ ପାଇଛି କରୋନା ସଂକ୍ରମିତଙ୍କ ସଂଖ୍ୟା

କଟକ, ଏନ୍ଏନ୍ଏସ୍ : କଟକ ସହରରେ ଗତ ସପ୍ତାହକ ମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଛି। କଟକ ମହାନଗର ନିଗମ ଓ ଗ୍ରାମାଞ୍ଚଳରେ ଘରକୁ ଘର ଯାଇ ସର୍ଭେ କରାଯାଉଛି । ସେହିଭଳି ସଂକ୍ରମଣର ଲକ୍ଷଣ ଥିବା ଲୋକଙ୍କ ଠାରୁ ନମୁନା ସଂଗ୍ରହ କରାଯାଇ ଏହାକୁ ପରୀକ୍ଷା କରାଯାଉଛି ବୋଲି କଟକ ମହାନଗର ନିଗମ କମିସନର ଅନନ୍ୟା ଦାଶ ଆଜି  ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।  ଶ୍ରୀମତୀ ଦାଶ କହିଛନ୍ତି, କଟକରେ ଏବେ ତାଲାବନ୍ଦ ଜାରି ଥିବାବେଳେ, ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ ହେଉଛି ।

କଟକରେ ଆଣ୍ଟିଜେନ ଟେଷ୍ଟ ମଧ୍ୟ ଆରମ୍ଭ ହୋଇଯାଇଛି । ସେହିଭଳି କରୋନା ମୁକାବିଲା ପାଇଁ ଏସସିବିରେ ଅଧିକ ଅସ୍ଥାୟୀ ଓପିଡି ପାଇଁ ଯୋଜନା କରାଯାଉଛି । ଲକ୍ଷଣ ନଥିବା ଆକ୍ରାନ୍ତଙ୍କ ପାଇଁ ୩ଟି କୋଭିଡ କେୟାର ସେଣ୍ଟର କରାଯାଉଛି । ଏହା ଗୋପାଳପୁର, ବିଦ୍ୟାଧରପୁର ଓ ଓଏଟି ଠାରେ ଖୋଲାଯିବ । ଲୋକେ ବାହାରକୁ ଯିବା ପୂର୍ବରୁ ମାସ୍କ ପିନ୍ଧନ୍ତୁ ଏବଂ ସାମାଜିକ ଦୂରତ୍ୱ ରକ୍ଷା କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ।