୯୨୨ କୋଟିର ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ : ନିଯୁକ୍ତି ପାଇବେ ୨,୬୫୦

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସରକାର ଶୁକ୍ରବାର ୯୨୨ କୋଟି ଟଙ୍କାର ପୁଞ୍ଜିନିବେଶ ଲକ୍ଷ୍ୟରେ ୫ଟି ପ୍ରକଳ୍ପ ପ୍ରସ୍ତାବକୁ ନୀତିଗତ ଅନୁମୋଦନ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକକ ବାତାୟନ କମିଟି ବୈଠକରେ ପର୍ଯ୍ୟଟନ, ଇସ୍ପାତ, ଖାଦ୍ୟ ପ୍ରକ୍ରିୟାକରଣ ଓ ଆଇଟି ସମ୍ପର୍କିତ ୫ଟି ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ଫଳରେ ୨୬୫୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ରାଜ୍ୟସ୍ତରୀୟ ସିଙ୍ଗ୍ଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର ଇନ୍ଫୋ ଭ୍ୟାଲିସ୍ଥିତ ଇଏମ୍ସି ପାର୍କଠାରେ ୧ ଲକ୍ଷ ୪୪ ହଜାର ବର୍ଗ ମିଟର କ୍ଷମତା ବିଶିଷ୍ଟ ପ୍ରିଣ୍ଟେଡ୍‍ ସର୍କିଟ୍‍ ବୋର୍ଡ(ପିସିବି) ନିମନ୍ତେ ୯୬.୮୦ କୋଟି ଟଙ୍କାର ଆଇଟି ତଥା ଇଏସ୍ଡିଏମ୍‍ ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଛି । ଏହି ପ୍ରକଳ୍ପ ଦ୍ୱାରା ୪୨୫ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ସେହିପରି ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ୮୫.୯୪ କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଏହା ଅନ୍ତର୍ଗତ ଖୋର୍ଦ୍ଧାର ଡେରାସ ସି’ ଫୁଡ୍‍ ପାର୍କଠାରେ ସାମୁଦ୍ରିକ ଖାଦ୍ୟ ପ୍ରକିୟାକରଣ ୟୁନିଟ୍ରେ ଅତିରିକ୍ତ ନିବେଶ କରାଯିବ। ଏଠାରେ ୫୮୦ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିପରି ପର୍ଯ୍ୟଟନ କ୍ଷେତ୍ରରେ ଖୋର୍ଦ୍ଧା ଜିଲ୍ଲାଠାରେ ଏକ ଅବସର ବିନୋଦନ ପାର୍କର ନିର୍ମାଣ ପାଇଁ ୧୦୭.୧୦ କୋଟି ଟଙ୍କାର ଏକ ପ୍ରସ୍ତାବକୁ ରାଜ୍ୟସ୍ତରୀୟ ସିଙ୍ଗ୍ଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ପକ୍ଷରୁ ମଞ୍ଜୁରି ମିଳିଛି। ଏଠାରେ ପ୍ରାୟ ୫୦୦ ଲୋକଙ୍କୁ ନିଯୁକ୍ତି ମିଳିପାରିବ। ପର୍ଯ୍ୟଟନ କ୍ଷେତ୍ରରେ ଭୁବନେଶ୍ୱରରେ ଏକ ୪ ତାରକା ହୋଟେଲ୍‍ ନିର୍ମାଣ ପାଇଁ ୫୯.୦ କୋଟି ଟଙ୍କାର ଏକ ନିବେଶ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରି ମିଳିଛି । ଏହାଦ୍ୱାରା ୧୬୭ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ।

ସେହିଭଳି ଇସ୍ପାତ୍‍ କ୍ଷେତ୍ରରେ କେନ୍ଦୁଝର ଜିଲ୍ଲାରେ ଥିବା ୦.୦୫ ଏମ୍ଟିପିଏ କ୍ଷମତା ବିଶିଷ୍ଟ ଇଣ୍ଟିଗ୍ରେଟେଡ୍‍ ଇସ୍ପାତ୍‍ ପ୍ଲାଣ୍ଟର ୫୭୩.୪୧କୋଟି ଟଙ୍କାର ଏକ ସଂପ୍ରସାରଣ ଏବଂ ଆଧୁନିକୀକରଣ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଏହା ଦ୍ୱାରା ପ୍ଲାଣ୍ଟର କ୍ଷମତା ୦.୨୮୩ ଏମ୍ଟିପିଏକୁ ବୃଦ୍ଧି ପାଇବ। ଏହା ଦ୍ୱାରା ଏଠାରେ ଅତିରିକ୍ତ ଭାବେ ୯୭୮ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ପ୍ରକଳ୍ପଗୁଡ଼ିକୁ ଅନୁମୋଦନ ଦେଇ ପୂର୍ବ ଅନୁମୋଦିତ ପ୍ରକଳ୍ପଗୁଡ଼ିକର ତ୍ୱରିତ କାର୍ଯ୍ୟାନ୍ୱୟନ ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲାସ୍ତରୀୟ ଏକକ ବାତାୟନ କମିଟି ବୈଠକରେ ଅନୁମାଦିତ ହେଉଥିବା ପ୍ରକଳ୍ପଗୁଡ଼ିକ ନିମନ୍ତେ ଇଡ୍କୋ ମାଧ୍ୟମରେ ଜମି ଯୋଗାଇ ଦିଆଯିବ ଏବଂ ଏଥି ନିମନ୍ତେ ଜିଲ୍ଲା ଶିଳ୍ପ କେନ୍ଦ୍ର ଜେନେରାଲ୍‍ ମ୍ୟାନେଜର ଇଡ୍କୋ ତରଫରୁ ପଦକ୍ଷେପ ନେବେ ବୋଲି ବୈଠକରେ ସ୍ଥିର ହୋଇଥିଲା। ବିଭିନ୍ନ ଶିଳ୍ପ ନିମନ୍ତେ ଜଳ ଆବଣ୍ଟନକୁ ଅଧିକ ବାସ୍ତବବାଦୀ ଓ ଗୁଣାତ୍ମକ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ।

ଅବ୍ୟବହୃତ ଆବଣ୍ଟନ ଜଳ ଫେରସ୍ତ ଆଣି ତାହାର ପୁନଃଆବଣ୍ଟନ କରିବାକୁ ମୁଖ୍ୟ ଶାସନ ସଚିବ ଶିଳ୍ପ ଓ ଜଳସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ସେଣ୍ଟର ଫର୍‍ ମନିଟରିଂ ଇଣ୍ଡିଆନ୍‍ (ସିଏମ୍‍ଆଇଇ) ଅନୁସାରେ ଦେଶର ସମସ୍ତ ରାଜ୍ୟ ତୁଳନାରେ ଓଡ଼ିଶାରେ ଚଳିତ ଆର୍ଥିକ ବର୍ଷର ଏପ୍ରିଲ୍‍-ସେପ୍ଟେମ୍ବର ମଧ୍ୟରେ ୧୮ ପ୍ରତିଶତ ନିବେଶ ହୋଇପାରିଛି । ଏହା ଦେଶର ଶ୍ରେଷ୍ଠ ନିବେଶ ଆକର୍ଷଣକାରୀ ରାଜ୍ୟର ମାନ୍ୟତା ଲାଭ କରିପାରିଛି । ଏହି ବୈଠକରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମାଙ୍କ ସମେତ ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।