୮ ସୁଦ୍ଧା ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଉଦ୍ଦିଷ୍ଟ କୋଭିଡ୍ ଟିକାଦାନ କେନ୍ଦ୍ରଗୁଡ଼ିକୁ ଚୂଡ଼ାନ୍ତ କର- ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ କୋଭିଡ୍ ଟିକାକରଣ ପାଇଁ ରାଜ୍ୟ ସରକାର ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି। ରାଜ୍ୟରେ କୋଭିଡ୍ ଗାଇଡଲାଇନ୍ ଓ ଶୃଙ୍ଖଳିତ ଢ଼ଙ୍ଗରେ ଟିକାକରଣ ପରିଚଳାନା ଲାଗି ପ୍ରୟାସ ଜାରି ରଖିଛନ୍ତି। ସେଥିପାଇଁ ଜାନୁଆରୀ ୮ ତାରିଖ ସୁଦ୍ଧା ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଉଦ୍ଦିଷ୍ଟ କୋଭିଡ୍ ଟିକାଦାନ କେନ୍ଦ୍ରଗୁଡ଼ିକୁ ଚୂଡ଼ାନ୍ତ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ୫ ନଗରନିଗମକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ୩୦ଜିଲ୍ଲା ସମେତ ଭୁବେନଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ନଗରନିଗମ ଏବଂ ପୌର ଅଧିକାରୀଙ୍କ ପାଖକୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।

ଏନେଇ ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରକ୍ତ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ପକ୍ଷରୁ ଜାରି ଏକ ନିର୍ଦ୍ଦେଶରେ କୁହାଯାଇଛି ଯେ, ରାଜ୍ୟରେ କୋଭିଡ୍ ଟିକାଦାନ ପାଇଁ କୋଭିଡ୍ ଗାଇଡଲାଇନ୍ ଅନୁସାରେ ସମସ୍ତ କାର୍ଯ୍ୟ କରାଯିବ। ଏନେଇ ଟିକାଦାନ କେନ୍ଦ୍ରଗୁଡ଼ିକରେ ପ୍ରତୀକ୍ଷାଳୟ, ଟିକାଦାନ ଗୃହ ଓ ପର୍ଯ୍ୟବେକ୍ଷଣ ଗୃହ ରହିବା ଆବଶ୍ୟକ। ଏଗୁଡ଼ିକ ସାଧାରଣତଃ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ଓ ଡାକ୍ତରଖାନାରେ ଚିହ୍ଟଟ ହେବ। ବ୍ଲକ୍ରେ ଥିବା ଜନସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାଦାନ କେନ୍ଦ୍ର ଲାଗି ସ୍ଥାନ ଚିହ୍ନଟ ହେବ। ସେହିପରି ଉପଖଣ୍ଡ ଚିକିତ୍ସାଳୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମେଡିକାଲ କଲେଜ, ଘରୋଇ ହସ୍ପିଟାଲରେ ମଧ୍ୟ ଟିକାଦାନ କେନ୍ଦ୍ର ପାଇଁ ସ୍ଥାନ ଚିହ୍ନଟ ହେବ। ବ୍ଲକ୍ସ୍ତରୀୟ ଓ ପୌରସ୍ତରୀୟ ଟାସ୍କଫୋର୍ସଗୁଡ଼ିକ ଏସବୁ ଟିକାଦାନ କେନ୍ଦ୍ରଗୁଡ଼ିକର ପର୍ଯ୍ୟବେକ୍ଷଣ ପରେ ଜିଲ୍ଲା ପ୍ରଶାସନକୁ ଚୂଡ଼ାନ୍ତ ତାଲିକା ପଠାଇବେ। ଅନ୍ୟପକ୍ଷରେ ପ୍ରତି ଟିକାଦାନ କେନ୍ଦ୍ରରେ ଟିକାଦାନକାରୀଙ୍କ ସମେତ ଏକ ୫ ଜଣିଆ ଦଳ ଚିହ୍ନଟ କରାଯିବ। ସେମାନେ ସମସ୍ତ କାର୍ଯ୍ୟର ତଦାରକ କରିବେ। ଟିକାଦାନ ପରେ କୌଣସି ସମ୍ଭାବ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଗଲେ, ତାହାର ପରିଚାଳନା ପାଇଁ ପ୍ରତି ଟିକାଦାନ କେନ୍ଦ୍ରରେ ଜଣେ ତାଲିମପ୍ରାପ୍ତ ମେଡିକାଲ ଅଫିସର ନିଯୁକ୍ତ ରହିବେ। ସେଠାରେ ଟିକା ନେବାକୁ ଆସିଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ପରିଶ୍ରାଗାରଠାରୁ ଆରମ୍ଭ କରି ସାନିଟାଇଜର ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା କରାଯିବ। ଯଦି କୌଣସି ଟିକାକରଣ ସ୍ଥାନ ଓ ଟିକାନେବା ବ୍ୟକ୍ତିଙ୍କ ସମ୍ପର୍କରେ କୋ-ୱିନ୍ ପୋର୍ଟାଲ ସାଇଡରେ ଲୋଡ ହୋଇନାହିଁ, ତାହେଲେ ତୁରନ୍ତ ଏହା ଅପଲୋଡ୍ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାବ୍ୟତୀତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବ୍ଲକ୍ ଓ ଜିଲ୍ଲା ସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯିବ।