ରାଜ୍ୟରେ ଆଜି ଆଉ ୬୬ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନାରେ ପ୍ରାଣ ହରାଇଲେ ଆଉ ୬୬ ଜଣ ଆକ୍ରାନ୍ତ। ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଉଥିବାବେଳେ କରୋନାରେ ମୋଟ ମୃତ୍ୟୁ ସଂଖ୍ୟା ୪,୮୬୧ରେ ପହଞ୍ଚିଛି। ଖୋର୍ଦ୍ଧାରୁ ସର୍ବାଧିକ ୨୧ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଏହା ପଛକୁ ସୁନ୍ଦରଗଡ଼ ଓ ବରଗଡ଼ରୁ ୧୦ ଜଣ ଲେଖାଏଁ, ବାଲେଶ୍ୱରରୁ ୮, ସମ୍ବଲପୁରରୁ ୭, ମୟୂରଭଞ୍ଜ ଓ ଭଦ୍ରକରୁ ୨ ଜଣ ଲେଖାଏଁ, ବଲାଙ୍ଗିର, ଗଞ୍ଜାମ, ଜଗତସିଂହପୁର, କଟକ, କଳାହାଣ୍ଡି ଓ ପୁରୀରୁ ଜଣେ ଲେଖାଏଁଙ୍କ ମୃତ୍ୟୁ ହୋଇଛି।

ରାଜ୍ୟରେ ବର୍ତ୍ତମାନ ଦୈନିକ କରୋନା ସଂକ୍ରମଣଠାରୁ ସୁସ୍ଥ ସଂଖ୍ୟା ଅଧିକ ରହୁଥିଲେ ମଧ୍ୟ ମୃତ୍ୟୁ ହାରରେ ବ୍ରେକ୍ ଲାଗି ପାରୁନି। ରାଜ୍ୟରେ ଏବେ ଦୈନିକ ମୃତ୍ୟୁ ସଂଖ୍ୟା ୬୦ଏ ପାର କରିଥିବା ବେଳେ ଆଗକୁ ତୃତୀୟ ଲହର ଆଶଙ୍କା ଥିବାରୁ ଏହା ଉପରେ ବ୍ରେକ୍ ଲଗାଇବା ପାଇଁ ରାଜ୍ୟଠୁ କେନ୍ଦ୍ର ସରକାର ତତ୍ପରତା ଦେଖାଇଲେଣି।