ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ମିଳିବ କୋଭିଡ୍ ଅନୁକମ୍ପା ରାଶି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର,ଏନ୍ଏନ୍ଏସ୍: କୋଭିଡ ମୃତକଙ୍କ ପରିବାରକୁ ସହାୟତା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବେ ରାଜ୍ୟ ସରକାର। ସଂକ୍ରମିତ ହେବାର ମାସେ ମଧ୍ୟରେ ମୃତ୍ୟୁ ବରଣ କରିଥିବା କୋଭିଡ ରୋଗୀଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଏସଓପି ଜାରି କରିବେ। ଏନେଇ ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି। ଫଳରେ ରାଜ୍ୟରେ କୋଭିଡ୍ ମହାମାରୀରେ ମୃତ ବ୍ୟକ୍ତିମାନଙ୍କୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଆରଏଫ୍‌)ରୁ ସହାୟତା ପ୍ରଦାନ କରିବାକୁ ରାଜ୍ୟ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ରଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ନଭେମ୍ବର ମାସରୁ ଏହି ସହାୟତା ବଣ୍ଟନ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ୩୦ ଦିନ ଭିତରେ ଆତ୍ମହତ୍ୟା କରିଥିବା କିମ୍ବା ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ଏଥିରେ ସାମିଲ କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ସେହି ଦୃଷ୍ଟିରୁ ରାଜ୍ୟର କୋଭିଡ ମୃତ୍ୟୁ ସଂଖ୍ୟାରେ ଏସବୁକୁ ମିଶ୍ରଣ କରାଯିବ। ଫଳରେ ରାଜ୍ୟର ମୋଟ କୋଭିଡ ମୃତ୍ୟୁ ସଂଖ୍ୟା ବୃଦ୍ଧି ହେବ। ନିୟମ ଅନୁସାରେ କୋଭିଡ ମୃତ୍ୟୁର ପୁନଃ ଅଡିଟ କରିବା ପାଇଁ ଜିଲ୍ଲାସ୍ତରରେ କମିଟି ଗଠନ ପାଇଁ ନିର୍ଦ୍ଦେଶ ରହିଛି। ତାହାକୁ ଆମେ ଅନୁପାଳନ କରିବୁ। ଏଇ କ୍ରାଇଟେରିଆ ଭିତରେ ଯେଉଁମାନେ ରହିଛନ୍ତି ସେମାନେ ଆବେଦନ କରିପାରିବେ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି।

କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅନୁସଚିବ ଆଶିଷ କୁମାର ସିଂ ଗତ ୨୫ ତାରିଖରେ ରାଜ୍ୟ ମୁଖ୍ୟ ସଚିବଙ୍କୁ ଲେଖିଥିବା ଚିଠି ସମେତ ମୋଟ ୧୨ ପୃଷ୍ଠାର ଦସ୍ତାବିଜ ପଠାଇ କୋଭିଡ୍ ମୃତକଙ୍କୁ ସହାୟତା ଦେବା ନିମନ୍ତେ କେନ୍ଦ୍ର ସରକାର ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଆରଏଫ) ସର୍ତ୍ତାବଳୀରେ ସଂଶୋଧନ କରିଥିବା ନେଇ ଅବଗତ କରିଛନ୍ତି।