ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ଖେଳାଇଛି । କରୋନା ଭାଇରସ ମହାମାରୀର ରୂପ ନେଲାଣି । ଯାହାକୁ ନେଇ ସମସ୍ତେ ଚିନ୍ତିତ । ତେବେ ଏହାକୁ ଦୃଷ୍ଟିରେ ରଖି ଆସନ୍ତା କାଲିଠାରୁ ମାର୍ଚ୍ଚ ୩୧ ଯାଏ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବନ୍ଦ ରଖାଯାଇଛି । ଏହାସହ ଷ୍ଟେଟ୍ ବଟାନିକାଲ ଗାର୍ଡେନ୍ ମଧ୍ୟ ବନ୍ଦ ରହିଛି । ଏ ନେଇ ନନ୍ଦନକାନନର ଉପ-ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, କରୋନା ପାଇଁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ସହ ସବୁ ଶିକ୍ଷାନୁଷ୍ଠାନ ମାର୍ଚ୍ଚ ୩୧ ଯାଏ ବନ୍ଦ ରହିବ ବୋଲି କୁହାଯାଇଛି । ଏହାସହ ସିନେମା ହଲ୍ ଓ ସୁଇମିଂ ପୁଲ୍ ମଧ୍ୟ ବନ୍ଦ ରହିବ ବୋଲି କହିଥିଲେ । ସେପଟେ କରୋନାରେ ପାଖାପାଖି ମୃତ୍ୟୁ ସଂଖ୍ୟା ୪ ହଜାରରୁ ଊର୍ଦ୍ଧ୍ୱ ହୋଇଥିବାବେଳେ ଭାରତରେ ମଧ୍ୟ ବର୍ତ୍ତମାନ ପର୍ୟ୍ୟନ୍ତ ୨ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି ।
ନନ୍ଦନକାନନର କର୍ମଚାରୀମାନେ ମୁହଁରେ ମାସ୍କ୍ ଏବଂ ହାତରେ ଗ୍ଲୋଭ୍ସ୍ ପିନ୍ଧି ପ୍ରାଣୀମାନଙ୍କର ତତ୍ତ୍ୱ ନେବେ। ଏହାଛଡ଼ା କର୍ମଚାରୀମାନେ ପରସ୍ପର ଠାରୁ ନିରାପଦ ଦୂରତାରେ ରହିବେ। ଆବଶ୍ୟକସ୍ଥଳେ କର୍ମଚାରୀମାନଙ୍କୁ ସେବା ଯୋଗାଇବା ନିମନ୍ତେ ଡାକ୍ତରୀ ଦଳ ପ୍ରସ୍ତୁତ ରହିବେ ବୋଲି ଜଣାପଡ଼ିଛି। ଦୈନିକ ନନ୍ଦନକାନନକୁ ଭାରତର ବିଭିନ୍ନ ରାଜ୍ୟ ଏବଂ ବିଦେଶରୁ ଅନେକ ପର୍ୟ୍ୟଟକ ଆସୁଥିବାରୁ କରୋନାଭାଇରସ୍ ସଂକ୍ରମଣ ହେବାର ଆଶଙ୍କା ରହିଛି। ସତର୍କତା ଅବଲମ୍ବନ ପାଇଁ କର୍ତ୍ତୃପକ୍ଷ ଏ ଭଳି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡ଼ିଛି। ସେହି ଭଳି କରୋନାଭାଇରସ୍ ସଂକ୍ରମଣ ଏଡ଼ାଇବାକୁ ସମ୍ବଲପୁର ଅନ୍ତର୍ଗତ ହୀରାକୁଦ ଠାରେ ଥିବା ରୋପୱେ ମଧ୍ୟ ବନ୍ଦ କରାଯାଇଛି।