ଭୁବନେଶ୍ୱର,ଏନ୍ଏନ୍ଏସ୍ : ଜେଲରେ କଏଦୀଙ୍କୁ ‘କରୋନା’ ଭୂତାଣୁ ଠାରୁ ଦୂରେଇ ରଖିବା ପାଇଁ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଉଛି। ଏଣିକି କଏଦୀଙ୍କୁ ସେମାନଙ୍କ ସମ୍ପର୍କୀୟମାନେ ଘରେ ବସି ଅନଲାଇନରେ ଭିଡିଓ କନଫେରନ୍ସି ମାଧ୍ୟମରେ କଥା ହୋଇପାରିବେ। ସେମାନଙ୍କୁ ଜେଲକୁ ଆସି ଭେଟିବାକୁ ପଡ଼ିବ ନାହିଁ। ଏହି ସୁବିଧା ‘କରୋନା’ ଭୂତାଣୁ ଠାରୁ କଏଦୀମାନଙ୍କୁ ସୁରକ୍ଷିତ ରଖିବା ପାଇଁ କରାଯାଇଛି। ଏନେଇ ଜେଲ୍ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଜେଲକୁ ଆସୁଥିବା ନୂଆ କଏଦୀଙ୍କୁ ଯାଞ୍ଚ କରିବା ପାଇଁ ସ୍କ୍ରିିନିଂ ସିଷ୍ଟମ ଉପଲବ୍ଧ ରଖିବା ପାଇଁ ସବୁ ଜିଲ୍ଲାର ସିଡିଏମଓଙ୍କୁ ଜଣାଇ ଦିଆଯାଇଛି। ସେହିପରି ଜେଲକୁ ଆସୁଥିବା ସମସ୍ତ ନୂତନ କଏଦୀଙ୍କୁ ଏକ ସପ୍ତାହ ପାଇଁ ଗୋଟିଏ ସ୍ୱତନ୍ତ୍ର ୱାର୍ଡରେ କ୍ୱାରେଣ୍ଟାଇନରେ ରଖାଯିବ। ଏମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲ ଅଫିସର ଓ ଫାର୍ମାସିଷ୍ଟ ରହିବେ। ନୂଆ କଏଦୀମାନେ ଜେଲ୍ର ମୁଖ୍ୟ ଦ୍ୱାର ଦେଇ ଗଲାବେଳେ ସେମାନେ ସାନିଟାଇଜର ବ୍ୟବହାର କରି ଭିତରକୁ ପ୍ରବେଶ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହାସହ କଏଦୀଙ୍କ ସହ ଓକିଲଙ୍କ ସାକ୍ଷାତକାରକୁ ବନ୍ଦ କରି ଦିଆଯାଇଛି। ଏଣିକି ବିଚାରଧୀନ କଏଦୀମାନେ ଆଉ କୋର୍ଟକୁ ଯିବେ ନାହିଁ। ଜେଲରେ ରହି ଭିଡିଓ କନଫେରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର ହେବେ। ଯେଉଁ ଜେଲରେ ଏହି ବ୍ୟବସ୍ଥା ନାହିଁ, ସେଠାରେ ଜେଲ କର୍ତ୍ତୃପକ୍ଷ ଏନଆଇସି ବା ନ୍ୟାସନାଲ ଇନଫନମେସନ ସେଣ୍ଟର ସହାୟତା ନେଇପାରିବେ। କାରଣ କୋର୍ଟକୁ ଗଲେ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସି କଏଦୀମାନେ କରୋନାରେ ଆକ୍ରାନ୍ତ ହେବା ସମ୍ଭାବନା ରହିଛି।
ଯେଉଁ କଏଦୀଙ୍କ ଥଣ୍ଡା, କଫ, ଜ୍ୱର ଓ ଗଳାରେ ଦରଜ ଭଲ ହେଉନାହିଁ। ସେମାନଙ୍କୁ ଅନ୍ୟ କଏଦୀଙ୍କ ଠାରୁ ଅଲଗା ରଖାଯିବ। ଏହାପରେ ସେମାନଙ୍କୁ ସରକାରୀ ଚିକିତ୍ସାଳୟକୁ ସ୍ଥାନାନ୍ତର କରି ଦିଆଯିବ। ଜେଲକୁ ପ୍ରବେଶ କରିବା ପୂର୍ବରୁ ସମସ୍ତ ଅଧିକାରୀ, କର୍ମଚାରୀ ଓ କଏଦୀମାନେ ହାତକୁ ଭଲ ଭାବେ ସଫା କରିବେ। ସେହିପରି ଜେଲରେ ହେଉଥିବା ସମସ୍ତ ଏନଜିଓ ଆକ୍ଟିଭିଟି ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବନ୍ଦ କରି ଦିଆଯାଇଛି।