ସକାଳ ୯ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଟିକା ଦିଆଯିବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆସନ୍ତା ୧୬ରେ କରୋନା ଟିକାକରଣ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ୧୬୦ଟି ଟିକାକରଣ କେନ୍ଦ୍ରରେ ଦୈନିକ ୧୦୦ ଜଣଙ୍କୁ ଟିକା ଦିଆଯିବ। ଟିକାକରଣ କେନ୍ଦ୍ରଗୁଡ଼ିକରେ ସକାଳ ୯ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଟିକା ଦିଆଯିବ ବୋଲି ରାଜ୍ୟ କୋଭିଡ୍ ପରିଚାଳନା ସଂକ୍ରାନ୍ତୀୟ ବୈଷୟିକ ପରାମର୍ଶଦାତା ଡାକ୍ତର ପ୍ରଫେସର ଜୟନ୍ତ କୁମାର ପଣ୍ଡା କହିଛନ୍ତି।

ସେ କହିଛନ୍ତି ଯେ ଯଦି କୌଣସି କେନ୍ଦ୍ରରେ ୧୦୦ରୁ କମ ହିତାଧିକାରୀ ଥାନ୍ତି, ସେ କ୍ଷେତ୍ରରେ ୨/୩ଟି ଟିକାକରଣ କେନ୍ଦ୍ରକୁ ମିଶାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏହି ଟିକାକରଣ ପ୍ରକ୍ରିୟାରେ ସମସ୍ତଙ୍କୁ ଅବଗତ କରାଯାଇ ଓ ଡାକି ଟିକାକରଣ କରାଯିବ। ଯଦି କୌଣସି କେନ୍ଦ୍ରରେ ନିର୍ଦ୍ଧାରିତ ସଂଖ୍ୟକ ହିତାଧିକାରୀ ନ ଆସନ୍ତି ତେବେ, ସେ କ୍ଷେତ୍ରରେ ନ ଆସିପାରୁଥିବା ହିତାଧିକାରୀ ଜିଲ୍ଲା ମୁଖ୍ୟଙ୍କୁ ଜଣାଇବେ। ସେହି ସ୍ଥାନରେ ଅନ୍ୟ କୌଣସି ହିତାଧିକାରୀଙ୍କୁ ସାମିଲ କରାଯିବ ନାହିଁ। ଯଦି କୌଣସି ପଞ୍ଜୀକୃତ ହିତାଧିକାରୀ ପଞ୍ଜିକରଣ ସମୟରେ ଦେଇଥିବା ପରିଚୟପତ୍ର ପାଉନାହାନ୍ତି ତେବେ ସମାନ ତଥ୍ୟ ଥିବା ସ୍ୱୀକୃତ ପରିଚୟ ପତ୍ର ମାଧ୍ୟମରେ ଟିକାକରଣ କେନ୍ଦ୍ରରେ ଟିକା ନେଇପାରିବେ। କିନ୍ତୁ ଏ କ୍ଷେତ୍ରରେ ସେହି ଟିକାକରଣ କେନ୍ଦ୍ରର ଅଧିକ୍ଷକଙ୍କ ନିଷ୍ପତ୍ତି ଚୂଡାନ୍ତ ହେବ। ଯଦି ଜଣେ ହିତାଧିକାରୀ ନିର୍ଦ୍ଧାରିତ ତାରିଖରେ ଟିକା ନେବାକୁ ନ ଆସନ୍ତି ସେ କ୍ଷେତ୍ରରେ ସେ ଅନ୍ୟ ତାରିଖରେ ଟିକା ନେଇପାରିବେ ନାହିଁ। ସେ ଜିଲ୍ଲା ଅଧିକାରୀଙ୍କୁ ଯୋଗାଯୋଗ କଲେ ପରବର୍ତ୍ତୀ ଟିକାଦାନ ତାରିଖ ସ୍ଥିର କରାଯିବ। ଟିକାର ପାଶ୍ୱର୍ ପ୍ରତିକ୍ରିୟା ସମ୍ପର୍କରେ ସୂଚନା ଦେଇ କହିଲ ଯେ ଏହି ଟିକାର କୌଣସି ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। କିନ୍ତୁ ଟିକା ନେବା ସ୍ଥାନରେ ସାମାନ୍ୟ ଯନ୍ତ୍ରଣା ହେବ କିମ୍ବା ସାମାନ୍ୟ ଜ୍ୱର ହେବା ଭଳି ଅନୁଭୂତ ହେଲେ, ସେହି କେନ୍ଦ୍ରରେ ଥିବା ନର୍ସ ଓ ଡାକ୍ତରଙ୍କୁ ଜଣାଇବେ।

ଯଦି ଆବଶ୍ୟକ ହୁଏ ସମ୍ପୃକ୍ତ ହିତାଧିକାରୀଙ୍କୁ ସେଠାରେ ଥିବା ୧୦୮ ଆମ୍ବୁଲାନ୍ସରେ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା ଯୋଗାଇ ଦିଆଯିବ। ଯଦି କରୋନା ଟିକାର ପ୍ରଥମ ଡୋଜ୍ ନେବା ପରେ ଜଣେ କରୋନା ଆକ୍ରାନ୍ତ ହୁଅନ୍ତି ତେବେ ସେ ୧୪ ଦିନ ପରେ କିମ୍ବା ସମ୍ପୂର୍ଣ୍ଣ ଲକ୍ଷଣ ମୁକ୍ତ ହେବା ପରେ ଦ୍ୱିତୀୟ ଡୋଜ ନେଇପାରିବେ। ଗତକାଲି ୪ ଲକ୍ଷ ୮ ହଜାର ଡୋଜ କରୋନା ଟିକା ରାଜ୍ୟକୁ ଆସିଛି। ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୯୦ ହଜାର ସ୍ୱାସ୍ଥ୍ୟ କର୍ମୀ ଟିକା ନେବେ ଓ ୨୮ ଦିନ ପରେ ଦ୍ୱିତୀୟ ଡୋଜ୍ ନେବେ। ତେବେ ଗୋଟିଏ ସପ୍ତାହ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଟିକାଦାନ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାରୁ ଆସନ୍ତା ୧୬ରେ ଅଧିକ ଟିକାକରଣ କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନିଆଯିବ।