ସୁୁନ୍ଦରଗଡ଼ ଜିଲ୍ଲାରେ ସ୍ଥିତି ସଙ୍ଗୀନ, ଆଜି ସର୍ବାଧିକ ପଜିଟିଭ ଚିହ୍ନଟ

ସୁନ୍ଦରଗଡ଼,ଏନ୍ଏନ୍ଏସ୍: ଛତିଶଗଡ଼-ଝାଡ଼ଖଣ୍ଡ ସୀମାକୁ ଲାଗିଥିବା ସୁନ୍ଦରଗଡ଼ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇ ଚାଲିଛି। ଜିଲ୍ଲାରେ ଏପ୍ରିଲ ପହିଲାରେ କରୋନା ସଂକ୍ରମଣ ସଂଖ୍ୟା ୨ ଅଙ୍କରେ ରହିଥିବା ବେଳେ ବର୍ତ୍ତମାନ ୩ଅଙ୍କରେ ପହଞ୍ôଚଛି। ଗତ ପହିଲାରେ କରୋନା ସଂକ୍ରମଣସଂଖ୍ୟା ୩୧ ଥିବା ବେଳେ ୨ ତାରିଖରେ ୬୨, ୩ ତାରିଖରେ ୭୫, ୪ତାରିଖରେ ୮୫, ୫ତାରିଖରେ ୮୦, ୬ତାରିଖରେ ୮୪, ୭ତାରିଖରେ ୧୪୭, ୮ ତାରିଖରେ୧୩୧, ୯ତାରିଖରେ ୨୨୪, ୧୦ତାରିଖରେ ୩୫୫, ୧୧ତାରିଖରେ୨୬୮ , ୧୨ତାରିଖରେ ୨୪୧ ଥିଲା ବେଳେ ୧୩ରେ ତାହା ୪୫୮ରେ ପହଞ୍ôଚଛି। ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଥିବା କୁହା ଯାଉଥିଲେ ହେଁ ପ୍ରତିଦିନ କରୋନା ପଜିଟିଭ ସଂଖ୍ୟା ଉପରମୁହାଁ ହୋଇ ରାଜ୍ୟରେ ସୁନ୍ଦରଗଡ ଜିଲ୍ଲା ଶୀର୍ଷରେ ରହିଛି। ବୁଧବାର ଜିଲ୍ଲାରେ ସର୍ବାଧିକ ଚିହ୍ନଟ ପରେ ବର୍ତ୍ତମାନ କରୋନା ନିଶ୍ଚିତ ଭାବେ ସଙ୍ଗୀନ ସ୍ଥିତିରେ ପହଞ୍ôଚଛି। ଛତିଶଗଡ ସୀମାବର୍ତ୍ତୀ ବାଲିଶଙ୍କରା, ସବଡେଗା, ହେମଗିର ବ୍ଲକ ଏବଂ ଝାଡଖଣ୍ଡ ସୀମାବର୍ତ୍ତୀ ବଡ଼ଗାଁ, କୁତ୍ରା, କୁଆଁରମୁଣ୍ଡା ବ୍ଲକର ବୀରମିତ୍ରପୁର ଓ ନୁଆଗାଁ ବ୍ଲକର ସୀମାବର୍ତ୍ତୀ ଅଞ୍ଚଳ ଉପରେ ପୁଲିସ ପ୍ରଶାସନ କଡା ନଜର ରଖି ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ଅସ୍ଥାୟୀ ଚେକିଂ ପୋଷ୍ଟ କରାଯାଇ ଯାଞ୍ଚ କରାଯାଉଛି । ହେଲେ ଗଳାବାଟ ଦେଇ ପଡୋଶୀ ଛତିଶଗଡ ଅଞ୍ଚଳରୁ ସୁନ୍ଦରଗଡ ଜିଲ୍ଲାଭିତରକୁ ବହୁ ବ୍ୟକ୍ତି ବିନା ଚେକିଂରେ ଚାଲିଆସୁଥିବା ବେଳେ ଏହି ଜିଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ପଛରେ ଛତିଶଗଡ ଲୋକେ ପ୍ରମୁଖ ବାହକ ସାଜି ଥିବା ବେଳେ ଅନ୍ୟପକ୍ଷରେ ଜିଲ୍ଲା ପୁଲିସ ପ୍ରଶାସନର ହୁଗୁଳା ନୀତି ଓ ଅମାନିଆ ଲୋକଙ୍କ ଖାମଖିଆଲି ମନୋଭାବ ଯୋଗୁଁ କରୋନା ସଂକ୍ରମଣ ଅନ୍ୟତମ ପ୍ରମୁଖ କାରଣ ବୋଲି କୁହାଯାଉଛି । ଛତିଶଗଡ ସୀମାବର୍ତ୍ତୀ ଅଞ୍ଚଳରେ ବସୁଥିବା ସାପ୍ତାହିକ ହାଟଗୁଡିକୁ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିବା ବେଳେ ସୁନ୍ଦରଗଡରୁ ଛତିଶଗଡକୁ ଚଳାଚଳ କରୁଥିବା ଯାତ୍ରୀବାହୀ ବସଗୁଡିକୁ ମଧ୍ୟ ବନ୍ଦ କରାଯାଇଛି। ଏଥିସହିତ ସୋମବାର ଠାରୁ ଛତିଶଗଡ ଓ ଝାଡଖଣ୍ଡ ସୀମାକୁ ପୁଲିସ ସିଲ୍ କରିଛି। ଉଭୟ ରାଜ୍ୟରୁ ଯିବା ଆସିବା କରୁଥିବା ବ୍ୟକ୍ତି ମାନଙ୍କୁ ଯାଞ୍ଚ କରାଯାଉଛି। ଛତିଶଗଡ ସୀମାବର୍ତ୍ତୀ ହେମଗିର ବ୍ଲକର ଟପରିଆ, ବାଲିଶଙ୍କରା ବ୍ଲକର ତେଲିଯୋର, ଲୁଲୁକିଡହି ଓ ଝାଡଖଣ୍ଡ ସୀମାବର୍ତ୍ତୀ କୁଆଁରମୁଣ୍ଡା ବ୍ଲକର ବୀରମିତ୍ରପୁର ଠାରେ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ତନଖି ଫାଟକ ଖୋଲାଯାଇ ପୁଲିସ, ପରିବହନ ବିଭାଗ ଓ ମେଡିକାଲ ଟିମ୍ ମୂତୟନ କରାଯାଇଛି। ସୁନ୍ଦରଗଡ ଏସପି ସାଗରିକା ନାଥ ପ୍ରତ୍ୟେକ୍ଷ ଭାବେ ଏହି ତନଖି ଫାଟକ ଗୁଡିକ ପରିଦର୍ଶନ କରି ସମସ୍ତ ବ୍ୟବସ୍ଥା ଅନୁଧ୍ୟାନ କରିବା ସହ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ମାସ୍କ ଯାଞ୍ଚ ଉପରେ ଗୁରୁତ୍ୱ ଦିଆଯାଉଛି। ଏହାକୁ ଉଲ୍ଲଘଂନ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଜୋରିମାନା ଆଦାୟ ମଧ୍ୟ କରାଯାଉଥିବା ଏସପି କହିଛନ୍ତି। ଉଭୟ ରାଜ୍ୟରୁ ସୁନ୍ଦରଗଡ ଜିଲା ମଧ୍ୟକୁ ଆସୁଥିବା ଯାନବାହାନ ଗୁଡିକ ଯାଞ୍ଚ କରିବା ସହ ଲୋକମାନଙ୍କର ୭୨ଘଣ୍ଟା ମଧ୍ୟରେ ଆରଟି-ପିସିଆର ଟେଷ୍ଟ ନେଗେଟିଭ ସାର୍ଟିଫିକେଟକୁ ଯାଞ୍ଚ କରାଯାଉଥିବା ବେଳେ ଯାହାର ଓଡ଼ିଶାରେ ଘରଥିବ ସେହି ବ୍ୟକ୍ତିମାନଙ୍କୁ ସେଠାରେ ମୂତୟନ ଥିବା ମେଡିକାଲ ଟିମ ଦ୍ୱାରା ନମୂନା ସଂଗ୍ରହ କରାଯାଇ ରିପୋର୍ଟ ନେବାକୁ କୁହାଯାଉଛି। ବର୍ତ୍ତମାନ ନାଇଟ କର୍ଫ୍ୟୁ ଜାରି ରହିଥିବା ବେଳେ ଜିଲା ପ୍ରଶାସନ ବାଲିଶଙ୍କରା ବ୍ଲକର ବନଡେଗା ଗ୍ରାମପଞ୍ଚାୟତର ୪ଟି ଗ୍ରାମକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛି।