କରୋନା ମୁକାବିଲାର ପ୍ରକୃତ ସୈନିକ : ନିଜ ଜୀବନକୁ ବାଜି ଲଗାଇ ଜନତାଙ୍କୁ ଯୋଗାଉଛନ୍ତି ସୁରକ୍ଷା

ଭୁବନେଶ୍ୱର,ଏନ୍ଏନ୍ଏସ୍ : ମହାମାରୀ କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ସାରା ରାଜ୍ୟକୁ ଲକଡାଉନ କରାଯାଇଛି। କାହାରିକୁ ଘରୁ ବାହାରିବାକୁ ଦିଆଯାଉନାହିଁ। କାରଣ ସାମାଜିକ ଦୂରତା ରହିଲେ ଏହି ରୋଗକୁ ବ୍ୟାପୀବାରୁ ରୋକାଯାଇପାରିବ। ହେଲେ କିଛି ବ୍ୟକ୍ତିବିଶେଷ ଅଛନ୍ତି, ସେମାନେ ନିଜ ଜୀବନକୁ ବାଜି ଲଗାଇ ଘରୁ ବାହାରି ଲୋକଙ୍କୁ ସୁରକ୍ଷା ଯୋଗାଇବା ସହ ସଚେତନ କରୁଛନ୍ତି। ସେମାନଙ୍କ ମଧ୍ୟ ପୁଲିସ ହେଉଛି ଅନ୍ୟତମ। ଏହି କରୋନା ମୁକାବିଲାରେ ଅନେକ ଯୋଦ୍ଧା, ସେନାପତି ଥିଲେ ମଧ୍ୟ ପୁଲିସ ହିଁ ପ୍ରକୃତ ସୈନିକ ଭାବେ ରଣକ୍ଷେତ୍ରକୁ ଓହ୍ଲାଇଛି ।

ଅପ୍ରତ୍ୟାଶିତ ଭାବରେ ସାମ୍ପ୍ରତିକ ସମାଜରେ ଦେଖା ଯାଉଥିବା ବିଭିନ୍ନ ପ୍ରକାର ବିପର୍ଯ୍ୟୟ ଭିତରେ ଜଣେ ବ୍ୟକ୍ତି ଅସହାୟ ଅନୁଭବ କରେ। ଏଭଳି ସଙ୍କଟ ସମୟରେ ଅନେକ ଲୋକମାନଙ୍କୁ ସହଯୋଗ କରିବା ପରିବର୍ତ୍ତେ ନିରୁତ୍ସାହିତ କରନ୍ତି। ସେତେବେଳେ ପ୍ରିୟ ବନ୍ଧୁ ଭାବେ ପୁଲିସ ସହଯୋଗ କରିବା ପାଇଁ ଆଗେଇ ଆସିଥାଏ। ଯେ କୌଣସି ପ୍ରତିକୂଳ ପରିସ୍ଥିତି ସତ୍ତେ୍ୱ ସେମାନେ ଲୋକଙ୍କ ପାଖରେ ପହଞ୍ଚି ସହାୟତା ଯୋଗାଇଥାନ୍ତି। ଯେମିତି ଆଜି ମୃତ୍ୟୁ ଭୟରେ ଘର ଭିତରେ ଗୃହବନ୍ଦୀ ହୋଇ ସତର୍କ ରହୁଥିବା ବେଳେ ନିଜ ଜୀବନକୁ ବାଜି ଲଗାଇ ପୁଲିସ ରାସ୍ତା ଉପରେ ଲୋକଙ୍କ ପାଇଁ ବଳିଦାନ ଦେଉଛନ୍ତି।

ସେମାନଙ୍କର ମଧ୍ୟ ଜୀବନ ଅଛି, ପରିବାର ମଧ୍ୟ ଅଛି। ଆଜି ଲୋକେ ଘର ଭିତରେ ଥିବା ବେଳେ ସେମାନଙ୍କୁ ୧୬୨ ପ୍ଲାଟୁନ ଫୋର୍ସ, କନଷ୍ଟେବଲ, ୧ହଜାରରୁ ଅଧିକ ଗାଡି, ୭ଶହରୁ ଅଧିକ ସବଇନ୍ସପେକ୍ଟରଙ୍କ ସମେତ ଇନ୍ସପେକ୍ଟର, ଡିଏସପି, ଅତିରିକ୍ତ ଏସପି, ଏସପିଙ୍କ ଠାରୁ ଡିଜି ପର୍ଯ୍ୟନ୍ତ ସମସ୍ତ କରୋନା ମୁକାବିଲା ଲାଗି ଦିନରାତି ଏକ କରିଦେଇଛନ୍ତି। ସାମାଜିକ ଦୂରତାକୁ ପ୍ରାଥମିକତା ଦିଆଯାଉଥିଲେ ମଧ୍ୟ ସେମାନେ ପ୍ରତିଦିନ ଶହଶହ ଲୋକଙ୍କ ସଂସ୍ପର୍ଶରେ ଆସୁଛନ୍ତି। ଅମାନିଆ ଗାଡ଼ି ଚାଳକଙ୍କୁ ରାସ୍ତାରେ ଅଟକାଇ ଯାଞ୍ଚ କରୁଛନ୍ତି। ଏସବୁ କେବଳ ଲୋକଙ୍କ ସୁରକ୍ଷା ପାଇଁ କରାଯାଉଛି। ଖରା-ବର୍ଷାକୁ ଖାତିର ନକରି ସେମାନେ ଲୋକଙ୍କ ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଦେଇଛନ୍ତି।

ତେଣୁ ପୁଲିସ କର୍ମଚାରୀଙ୍କୁ ସମ୍ମାନ ଦେବା ସହ ସେମାନଙ୍କୁ ସହଯୋଗ କରିବା ଆବଶ୍ୟକ। ବିନା କାରଣରେ ସେମାନଙ୍କୁ ଅପମାନିତ ନକରି ଆନ୍ତରିକତା ସହ ସହଯୋଗ କରିବା ଦରକାର। ଓଡ଼ିଶା ପୁଲିସ ଯେଉଁ ଭଳି ଭାବେ କଷ୍ଠକରି ଯୁଗାନ୍ତକାରୀ ସଂଘର୍ଷ ଜାରି ରଖିଛି, ଏହା ନିଶ୍ଚିତ ଇତିହାସ ହୋଇ ରହିବ, ଏଥିରେ ସନ୍ଦେହ ନାହିଁ। ପୁଲିସର ଏଭଳି କାର୍ଯ୍ୟକୁ ସାଧାରଣରେ ବେଶ ପ୍ରଶଂସା କରାଯାଉଛି।