ଭୁବନେଶ୍ୱର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ କୋଭିଡ ମହାମାରୀର ସମ୍ଭାବ୍ୟ ଦ୍ୱିତୀୟ ସଂକ୍ରମଣର ମୁକାବିଲା ସମ୍ପର୍କରେ ସମୀକ୍ଷା କରି ବ୍ୟାପକ ସତର୍କତା ମୂଳକ ପଦକ୍ଷେପ ଓ ଜନସଚେତନତା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେତେକ ରାଜ୍ୟରେ ପରିସ୍ଥିତି ଦ୍ରୁତ ଗତିରେ ବିଗିଡିବାରେ ଲାଗିଛି। ଏବେଠାରୁ ତୁରନ୍ତ ପ୍ରତିରୋଧମୂଳକ ପଦକ୍ଷେପ ନ ନେଲେ, ଆମ ରାଜ୍ୟ ମଧ୍ୟ ଘୋର ବିପଦର ସମ୍ମୁଖୀନ ହେବ। ଏହା ମଧ୍ୟରେ କୋଭିଡ ଯୁଦ୍ଧର ଏକବର୍ଷ ପୂରଣ ହୋଇଯାଇଛି । ତେବେ ଆମର ଡାକ୍ତର, ପାରାମେଡିକ୍, ଆଗଧାଡିର ଯୋଦ୍ଧା, ପ୍ରଶାସନ, ପଞ୍ଚାୟତ ପ୍ରତିନିଧି ଓ ପୋଲିସ ଏ ସମସ୍ତଙ୍କର ନିସ୍ୱାର୍ଥପର ସେବା ଓ ତ୍ୟାଗ ଯୋଗୁ ଆମେ ଏପର୍ଯ୍ୟନ୍ତ ଭୂତାଣୁର ମୁକାବିଲାରେ ସଫଳ ହୋଇଛୁ । ରାଜ୍ୟ ମଧ୍ୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସଫଳ କୋଭିଡ ମୁକାବିଲା ପାଇଁ ସ୍ୱୀକୃତି ହାସଲ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
