ଗୃହକାର୍ଯ୍ୟ ଆରମ୍ଭରୁ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ: ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଧାନସଭା ମୌସୁମୀ ଅଧିବେଶନର ଆଜି ତୃତୀୟ ଦିନ। ଆଜି ବି ଆରମ୍ଭରୁ ଗୃହରେ ହଟ୍ଟଗୋଳ। ଚାଲିପାରିଲାନି ପ୍ରଶ୍ନକାଳ। ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ନିକଟରେ ନାରାବାଜି କରିଥିଲେ। ଦ୍ୱିତୀୟ ଦିନରେ ଷ୍ଟାଫ୍ ସିଲେକ୍ସନ କମିସନ ଦୁର୍ନୀତି ନେଇ ମୁଲତବୀ ପ୍ରସ୍ତାବ ଦିଆଯାଇଥିଲା। କାହିଁକି ଏହା ଉପରେ ଆଲୋଚନା କରାଗଲା ନାହିଁ ତାକୁ ନେଇ ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

ପ୍ଲାକାର୍ଡ ଧରି ଗୃହରେ ହୋହଲ୍ଲା ଓ ନାରାବାଜି କରିଥିଲେ କଂଗ୍ରେସ ବିଧାୟକ। ଷ୍ଟାଫ୍ ସିଲେକ୍ସନ କମିସନରେ ଦୁର୍ନୀତି ଯୋଗୁଁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାର। ତେଣୁ ଏନେଇ ଗୃହରେ ଆଲୋଚନା କରିବାକୁ ଦାବି କରିଛି କଂଗ୍ରେସ। ଗୃହରେ ହଟ୍ଟଗୋଳ ଯୋଗୁଁ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି।

ଆଜି ବିଧାନସଭା ପ୍ରଶ୍ନକାଳରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ, ଶକ୍ତି, କ୍ରୀଡା ଓ ଯୁବକଲ୍ୟାଣ, ଶିଳ୍ପ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ଦ୍ୟେଗ ଆଦି ବିଭାଗ ଉପରେ ଆଲୋଚନା ହେବାରଥିଲା। ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥାନ୍ତେ ବିଭାଗୀୟ ମନ୍ତ୍ରୀ। ଦ୍ୱିତୀୟ ଦିନରେ ମାହାଙ୍ଗା ଡବଲ୍ ମର୍ଡର ଘଟଣାକୁ ନେଇ ଗୃହରେ ହଟ୍ଟଗୋଳ ଲାଗି ରହିଥିଲା। ଫଳରେ ବାରମ୍ବାର ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପତି। ଆଜି ବି ଗୃହକାର୍ୟ୍ୟ ସ୍ୱାଭାବିକ ହୋଇପାରିନି।