୪୦ ଟଙ୍କାରେ ଭୁବନେଶ୍ୱରରେ ପିଆଜ ବିକିଲେ କଂଗ୍ରେସ ନେତା

ଭୁବନେଶ୍ଵର,ଏନ୍ଏନ୍ଏସ୍: ପିଆଜ ଦର ଅହେତୁକ ଭାବେ ବୃଦ୍ଧି ପାଉଥିବାରୁ ସୋମବାର କଂଗ୍ରେସ ପକ୍ଷରୁ ଅଭିନବ ଉପାୟରେ ପ୍ରତିବାଦ କରାଯାଇଛି। ଏ ନେଇ ଭୁବନେଶ୍ୱରର ରାଜମହଲ ଛକଠାରେ କଂଗ୍ରେସ ନେତା ଓ ସଦସ୍ୟମାନେ ୪୦ଟଙ୍କା ପ୍ରତିକିଲୋ ଦରରେ ପିଆଜ ବିକ୍ରି କରିଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ପିଆଜ ମୂଲ୍ୟ ୧୦୦ ଟଙ୍କା ଛୁଇଁଛି। ରାଜଧାନୀ ଭୁବନେଶ୍ଵର ବଜାରରେ ମଧ୍ୟ ପିଆଜ ଦର ୧୦୦ ଟଙ୍କାରେ ପହଞ୍ଚିଛି। ଏହାକୁ ପ୍ରତିବାଦ କରି କଂଗ୍ରେସ ପକ୍ଷରୁ ରାଜଧାନୀରେ ପିଆଜ ବିକ୍ରି କରାଯାଇଛି। ଏଥିରେ କଂଗ୍ରେସ ନେତା ଓ ସଦସ୍ୟମାନେ ମାଷ୍ଟରକ୍ୟାଣ୍ଟିନରୁ ରାଜମହଲ ଛକ ମଧ୍ୟରେ କିଲୋ ପ୍ରତି ୪୦ ଟଙ୍କା ଦରରେ ପିଆଜ ବିକ୍ରି କରିଛନ୍ତି। ଗ୍ରାହକଙ୍କ ପିଛା ୨୫୦ ଗ୍ରାମ ପିଆଜ ବିକ୍ରି କରାଯାଉଛି।