ଶ୍ରୀମନ୍ଦିର ପରିଚାଳନାକୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ତୁରନ୍ତ ପାଳନ କରନ୍ତୁ ରାଜ୍ୟ ସରକାର: କଂଗ୍ରେସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପୁରୀ ତଥା ଶ୍ରୀମନ୍ଦିର ଚତୁଃପାର୍ଶ୍ବ ସୌନ୍ଦର୍ଯ୍ୟକରଣକୁ ନେଇ ଅତ୍ୟନ୍ତ ଚିନ୍ତିତ ତଥା ଗମ୍ଭୀର ଥିବା ନେଇ ଦାବି କରୁଥିବା ରାଜ୍ୟ ସରକାର ଓ ଖୋଦ୍‌ ମୁଖ୍ୟମନ୍ତ୍ରୀ ତଥା ତାଙ୍କ ବ୍ୟକ୍ତିଗତ ସଚିବ ସତରେ କେତେ ଗମ୍ଭୀର ଓ ବିଚଳିତ ଏ କଥା  ଶ୍ରୀମନ୍ଦିର ପରିଚାଳନାକୁ ନେଇ ମାନ୍ୟବର ସୁପ୍ରିମକୋର୍ଟ ପ୍ରଦାନ କରିଥିବା ନିର୍ଦ୍ଦେଶ ପାଳନ କରିବାକୁ ନେଇ ଟାଳଟୁଳ ନୀତି ହିଁ ପ୍ରମାଣିତ କରୁଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ଅଭିଯୋଗ କରିଛନ୍ତି। ଶ୍ରୀମନ୍ଦିର ପରିଚାଳନାକୁ ନେଇ ମାନ୍ୟବର ସୁପ୍ରିମ୍‌କୋର୍ଟଙ୍କ ନିକଟରେ ଦାୟର ହୋଇଥିବା ‘ମୃଣାଳିନୀ ପାଢ଼ୀ ବନାମ୍‌ ୟୁନିଅନ୍‌ ଅଫ ଇଣ୍ଡିଆ’ ମୋକଦ୍ଦମାରେ ସର୍ବୋଚ୍ଚ ଅଦାଲତ ୪ ନଭେମ୍ବର ୨୦୧୯ ରେ ଯେଉଁ ନିର୍ଦ୍ଦେଶ ଦେଇଥିଲେ ସେଥିରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଥିଲେ ଯେ ରାଜ୍ୟ ସରକାର ଜଣେ ପୂର୍ଣ୍ଣକାଳୀନ ଶ୍ରୀମନ୍ଦିର ପ୍ରଶାସକଙ୍କୁ ତତ୍କାଳୀନ ନିଯୁକ୍ତି ପ୍ରଦାନ କରିବେ, ଯିଏକି ଅନ୍ୟ କୌଣସି ବିଭାଗର ଦାୟିତ୍ୱରେ ରହିପାରିବେ ନାହିଁ। ଏଥିରୁ ସ୍ପଷ୍ଟ ପ୍ରତୀୟମାନ ଯେ ରାଜ୍ୟ ସରକାର ଶ୍ରୀମନ୍ଦିରର ଗୁରୁ ଦାୟିତ୍ୱକୁ କୌଣସି ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ଭାବରେ ପ୍ରଦାନ କରିପାରିବେ ନାହିଁ। ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟକୁ ରାଜ୍ୟ ସରକାର ଜାଣିଶୁଣି ଅବମାନନା କରିବା ସହିତ ଏହାକୁ ଚାପି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ସାମ୍ବିଧାନିକ ପଦବୀର ଅଧିକାରୀ ହୋଇ ମଧ୍ୟ କିଭଳି ଏହାକୁ ଦୀର୍ଘ ୨ମାସରୁ ଊର୍ଦ୍ଧ୍ୱ ସମୟ ଧରି ଅନୁପାଳନ କରୁନାହାନ୍ତି, ତାହାହିଁ ସାଧାରଣରେ ଏକବିଶାଳ ପ୍ରଶ୍ନବାଚୀ ସୃଷ୍ଟି କରିଛି।

୫ଟି ସଚିବ ନିକଟ ଅତୀତରେ ତାଙ୍କର ବକ୍ତବ୍ୟରେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ପୁରୀ ଯିବା ରାସ୍ତାରେ ଶୋଭା ପାଉଥିବା ବିଭିନ୍ନ ସ୍ଥାନରେ ଜଗନ୍ନାଥଙ୍କ ଫଟୋକୁ ପ୍ରଣାମ କରୁଥିବା ସେ ଦେଖିବାକୁ ପାଇଥିଲେ। ଏଠାରେ ପ୍ରଶ୍ନ ଉଠେ ରାସ୍ତାରେ ବିଭିନ୍ନ ବିଜ୍ଞାପନରେ ଥିବା ପ୍ରଭୁ ଜଗନ୍ନାଥଙ୍କ ଫଟୋ ପ୍ରତି ମୁଖ୍ୟମନ୍ତ୍ରୀଙ୍କର ଏତେ ଭକ୍ତି ଥିବା ସତ୍ତ୍ୱେ ଶ୍ରୀମନ୍ଦିରର ସୁପରିଚାଳନାନିମନ୍ତେ ମାନ୍ୟବର ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକୁ ତତ୍‌କ୍ଷଣାତ କାର୍ଯ୍ୟକାରୀ କରାଇବା ପରିବର୍ତ୍ତେ ମାସ ମାସ ଧରି ସମୟ ଗଡାଇବାକାହା ସ୍ୱାର୍ଥରେ? ମୁଖ୍ୟମନ୍ତ୍ରୀଙ୍କ ହୃଦୟର ଭାଷା ପଢି ପାରୁଥିବା ୫ଟି ସଚିବ କିଭଳି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପଢି ପାରୁନାହାନ୍ତି, ତାହା ଏକ ବଡ଼ ପ୍ରଶ୍ନବାଚୀ। ବର୍ତ୍ତମାନ ଶ୍ରୀମନ୍ଦିର ପ୍ରଶାସନର ପରିଚାଳନା ପାଇଁ ଅତିରିକ୍ତ ଦାୟିତ୍ୱରେ ଥିବା ପୂର୍ତ୍ତ ସଚିବଙ୍କ ନିଯୁକ୍ତିସଂପୂର୍ଣ୍ଣ ଭାବରେ ମାନ୍ୟବର ସୁପ୍ରିମ୍‌କୋର୍ଟଙ୍କ ଆଦେଶର ଅବମାନନା ଅଟେ ଏବଂ ତାଙ୍କ ଦ୍ୱାରା ନିଆଯାଇଥିବା ପ୍ରତ୍ୟେକ ନୀତିଗତ ନିଷ୍ପତି ବାତିଲ୍‌ ଓ ବ୍ୟର୍ଥ ଭାବରେ ପରିଗଣିତ ହେବ। ପୂର୍ତ୍ତ ସଚିବ ଭୁବନେଶ୍ୱରରେ ରହି ଶ୍ରୀମନ୍ଦିର ପରିଚାଳନା ଭଳି ଏକ  ଗୁରୁ ଦାୟିତ୍ୱକୁ କିଭଳି ସଂପାଦନ କରୁଛନ୍ତି ତାହା ନିକଟ ଅତୀତରେ ଘଟି ଯାଇଥିବା କେତୋଟି ଘଟଣାକ୍ରମରୁ ସ୍ପଷ୍ଟ ଜଣାପଡେ। ଶ୍ରୀମନ୍ଦିର ହୁଣ୍ଡି ତଥା କର୍ପସ ଫଣ୍ଡର ୬ ଶହ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଏକ ଘରୋଇ ବ୍ୟାଙ୍କରେ ଜମା ରଖିବାକୁ ନେଇ ସାରା ରାଜ୍ୟରେ ଝଡ ସୃଷ୍ଟି ହୋଇଥିଲା ଏବଂ ଯାହା ତାଙ୍କ ପରିଚାଳନାଗତ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। 

ପ୍ରଦେଶ କଂଗ୍ରେସ ଦାବି କରୁଛି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ୫ଟି ସଚିବ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରନ୍ତୁ ଏବଂ ଜଣେ ପୂର୍ଣ୍ଣକାଳୀନ ଶ୍ରୀମନ୍ଦିର ପ୍ରଶାସକଙ୍କୁ ତୁରନ୍ତ ନିଯୁକ୍ତି ଦିଅନ୍ତୁ। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଶାନ୍ତ ଶତପଥୀ, ରଜନୀ ମହାନ୍ତି  ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ।