ଭୁବନେଶ୍ୱର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଯିବେ। ଏହି ଅବସରରେ ଜିଲ୍ଲାବାସୀଙ୍କୁ ବିଜୁ ସ୍ଵାସ୍ଥ୍ୟ ଯୋଜନା ଅନ୍ତର୍ଗତ ସ୍ମାର୍ଟ କାର୍ଡ଼ ବଣ୍ଟନ କରିବେ। ଏହାବ୍ୟତୀତ ବିଭିନ୍ନ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ଶିଳାନ୍ୟାସ କରିବେ ବୋଲି ସୂଚନା ରହିଛି। ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଷ୍ଟାଡିୟମ ଠାରେ ଦିନ ୧୧ଟାରେ ପହଞ୍ଚି ପ୍ରଥମେ ୭୯୬ – ୧୯ କୋଟି ଟଙ୍କା ବ୍ୟୟ ଅଟକଳରେ ମୋହନା ବ୍ଲକରେ ହରଭଙ୍ଗୀରେ ୨ ପ୍ରସ୍ତାବିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହା ସହ ବିଭିନ୍ନ ନିର୍ମାଣ ହୋଇସାରିଥିବା ପ୍ରକଳ୍ପର ଶୁଭାରମ୍ଭ କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି। ୮୮୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳିର ୧୫ଟି ପ୍ରକଳ୍ପ ଓ ୧୪୪୬ , ୪୯ ଲକ୍ଷ ଟଙ୍କା ବିନିଯୋଗରେ ନିର୍ମାଣ ହୋଇଥିବା ମୋହନା ନିର୍ବାଚନ ମଣ୍ଡଳି ପାଇଁ ୨୧ଟି ପ୍ରକଳ୍ପକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ।
ପରେ ମୁଖ୍ୟମନ୍ତ୍ରୀ ଗଜପତି ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ଼ ବଣ୍ଟନ କରିବେ ବୋଲି ସୂଚନା ମିଳିଛି। ଏହି କାର୍ଡ଼ ଜରିଆରେ ହିତାଧୀକାରୀମାନେ ମାଗଣାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଓ ମହିଳାମାନେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସେବାର ସୁବିଧା ପାଇପାରିବେ। ରାଜ୍ୟ ସହ ଦେଶର ୨୦୦ଟି ହସ୍ପିଟାଲରେ କାର୍ଡ ଜରିଆରେ ଚିକିତ୍ସା ସୁବିଧା ମିଳିପାରିବ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନିମନ୍ତେ ଜିଲ୍ଲାସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସମଗ୍ର କାର୍ଯ୍ୟକ୍ରମ କଡା ସୁରକ୍ଷା ସହ କୋଭିଡ ନିୟମାନୁସାରେ ଲୋକଙ୍କ ଉପସ୍ଥିତିରେ ହେବ ବୋଲି ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅନୁରୂପ ଭାବରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଡିଆଇଜି ସତ୍ୟବ୍ରତ ଭୋଇ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି।