ମହାପ୍ରଭୁଙ୍କ ବାହୁଡ଼ା ଓ ସୁନାବେଶ ନୀତିର ଶୃଙ୍ଖଳିତ ପରିଚାଳନା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଭିଡିଓ କନଫରେନସିଂ ମାଧ୍ୟମରେ ମହାପ୍ରଭୁଙ୍କ ବାହୁଡ଼ା, ସୁନାବେଶ, ଅଧରପଣା ଓ ନିଳାଦ୍ରୀବିଜେ ଆଦି ଯାତ୍ରା କାର୍ଯ୍ୟକ୍ରମର ସୁପରିଚାଳନା ବିଷୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି।

ସୁପ୍ରିମକୋର୍ଟଙ୍କ ନିର୍ଦେଶାବଳୀକୁ ପାଳନ କରି ଯେଭଳି ଶୃଙ୍ଖଳିତ ଭାବରେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ସୂଚାରୁରୂପେ ସମ୍ପାଦିତ ହେଲା, ସେଥିପାଇଁ ମୁଖ୍ୟମନ୍ତ୍ରୀ ସେବାୟତ, ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ, ପୁଲିସ, ସ୍ୱାସ୍ଥ୍ୟ ବିଭାଗ, ବିଶେଷ କରି ପୁରୀର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଆଗାମୀ ବାହୁଡ଼ା ଓ ସୁନାବେଶ ସମୟରେ ମଧ୍ୟ ସେଭଳି ସମସ୍ତଙ୍କର ସହଯୋଗ କାମନା କରିଛନ୍ତି। ବାହୁଡ଼ା, ସୁନାବେଶ ଆଦି ନୀତି ସମୟରେ ମହାପ୍ରଭୁଙ୍କ ନୀତିକାନ୍ତିକୁ ଠିକ ସମୟରେ କରିବା ସହିତ କେବଳ କୋଭିଡ ନେଗେଟିଭ ଥିବା ସେବାୟତମାନଙ୍କୁ ନେଇ ନୀତି ସମ୍ପାଦକ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସେହିପରି ପୁରୀ ସହରରେ କୋଭିଡ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହିତ କୋଭିଡ ସର୍ଭେ କାର୍ଯ୍ୟକୁ ମଧ୍ୟ ଆହୁରି ବ୍ୟାପକ କରିବା ଉପରେ ଗୁରୁତ୍ୱାରେପ କରିଥିଲେ। ଏହାସହିତ କୋଭିଡ ପରୀକ୍ଷା ମଧ୍ୟ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ବାହୁଡ଼ା, ସୁନାବେଶ, ଅଧରପଣା, ନିଳାଦ୍ରୀବିଜେ କାର୍ଯ୍ୟକ୍ରମକୁ ଜନସାଧାରଣ ଯେପରି ଘରେ ବସି ସୁବିଧାରେ ଦର୍ଶନ କରିପାରିବେ, ସେଥିପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗର ତତ୍ତ୍ୱାବଧାନରେ ବିଭିନ୍ନ ଚ୍ୟାନେଲରେ ସିଧାପ୍ରସାରଣ ପାଇଁ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସାରାବିଶ୍ୱ ଆମ ଉପରେ ନଜର ରଖିଛି। ତେଣୁ କୋଭିଡ-୧୯ର ନିର୍ଦ୍ଦେଶାବଳୀ ଏବଂ ଲକଡାଉନର ନିୟମାବଳୀକୁ ଠିକ ଭାବରେ ପାଳନ କରିବା ପାଇଁ ଆମେ ସର୍ବୋତ୍ତମ ଉଦ୍ୟମ ଜାରି କରିବା ଆବଶ୍ୟକ।

ଆଇନମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ, ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ, ରଥଯାତ୍ରାର ସଫଳ ପରିଚାଳନାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହିତ ବାହୁଡ଼ା ଓ ସୁନାବେଶର ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହି ଆଲୋଚନାରେ ରଥଯାତ୍ରା ପାଇଁ ପୁରୀ ଦାୟିତ୍ୱରେ ଥିବା ମନ୍ତ୍ରୀ ଏବଂ ଯୋଜନାବୋର୍ଡର ଉପାଧ୍ୟକ୍ଷଙ୍କ ସମେତ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପୁଲିସ ମହାନିର୍ଦେଶକ, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ପ୍ରମୁଖ ଯୋଗଦେଇ ଥିଲେ।