କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ପ୍ୟାକେଜ୍, ୯୨.୩୭ କୋଟି ଟଙ୍କାରୁ ବୋନସ୍ ୫୯.୭୮ କୋଟି

ଭୁବନେଶ୍ୱର,ଏନ୍ଏନ୍ଏସ୍: କେନ୍ଦୁପତ୍ର ତୋଳାଳିଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି। ୯୨.୩୭ କୋଟି ଟଙ୍କାର ସହାୟତା ଭିତରୁ ୫୯.୭୮ କୋଟି ଟଙ୍କା ବୋନସ୍ ଆକାରରେ ପ୍ରଦାନ କରାଯିବ। ବାକି ଅର୍ଥ ଅନ୍ୟାନ୍ୟ ସହାୟତା ଆକାରରେ ଦିଆଯିବ। ସେହିପରି ମୃତ୍ୟୁ, ଅକର୍ମଣ୍ୟ କ୍ଷେତ୍ରରେ ସହାୟତା ରାଶୀ ଏକ ଲକ୍ଷ ଟଙ୍କାରୁ ଦୁଇ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।

ସୋମବାର କେନ୍ଦୁପତ୍ର କଲ୍ୟାଣ ବୋର୍ଡ ବୈଠକରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଭିଡିଓ କନ୍ଫରେନସିଂ ଜରିଆରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରିଥିଲେ। କେନ୍ଦୁପତ୍ର ତୋଳାଳି, ବନେ୍ଧଇ ଶ୍ରମିକ ଓ ସାମୟିକ କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ଚଳିତ ବର୍ଷ ବୋନସ୍, ଅନ୍ୟାନ୍ୟ ସହାୟତା ଓ ଭିତ୍ତିଭୂମି ବିକାଶ ଉଦ୍ଦେଶ୍ୟରେ ୯୨.୩୭ କୋଟି ଟଙ୍କା ବୋର୍ଡ ମଞ୍ଜୁର କରିଛି।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ, କେନ୍ଦୁପତ୍ର ସଂଗ୍ରହ, ବନେ୍ଧଇ ଓ ପ୍ରକ୍ରିୟାକରଣ କାର୍ଯ୍ୟରେ ସାଧାରଣତଃ ଗରିବ ଲୋକମାନେ ନିୟୋଜିତ ହୋଇଥା’ନ୍ତି। ସେମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ସବୁବେଳେ ଉଦ୍ୟମ ଜାରି ରଖିଛନ୍ତି। ୨୦୧୪ ରେ ଏକ ଐତିହାସିକ ନିଷ୍ପତ୍ତି ନେଇ ରାଜ୍ୟ ସରକାର କେନ୍ଦୁପତ୍ର ବ୍ୟବସାୟରୁ ପାଉଥିବା ଲାଭାଂଶରେ କେନ୍ଦୁପତ୍ର ତୋଳାଳିଙ୍କୁ ସାମିଲ କରିଛନ୍ତି। କୋଭିଡ୍ ମହାମାରୀ ସମୟରେ ବିଭାଗ ୬୦ ଲକ୍ଷରୁ ଅଧିକ କର୍ମ ଦିବସ ସୃଷ୍ଟି କରିପାରିଥିଲା। ଏହା ଦ୍ୱାରା ୭ ଲକ୍ଷ ୫୪ ହଜାରେ ୬୩୧ କେନ୍ଦୁପତ୍ର ତୋଳାଳୀ, ୧୮,୨୨୩ ବନେ୍ଧଇ ଶ୍ରମିକ ଏବଂ ୧୬,୫୩୩ ସାମୟିକ କର୍ମଚାରୀ ଉପକୃତ ହୋଇଛନ୍ତି। ୨୦୨୦ ଶସ୍ୟ ବର୍ଷରେ ଏ ବାବଦରେ ୨୫୦ କୋଟି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜରିଆରେ ପଇଠ କରାଯାଇଛି। ସେମାନଙ୍କ ପାଇଁ ପୁଣି ୯୨.୩୭ କୋଟି ଟଙ୍କାର ବୋନସ ଓ ଅନ୍ୟାନ୍ୟ ସହାୟତା ଘୋଷଣା ହୋଇଛି। ତନ୍ମଧ୍ୟରୁ କେବଳ ବୋନସର ପରିମାଣ ୫୯.୭୮ କୋଟି ଟଙ୍କା ରହିଛି ବୋଲି ସେ କହିଥିଲେ।

ବୈଠକରେ ଜଙ୍ଗଲ ଓ ପରିବେଶ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଇସ୍ପାତ ଓ ଖଣି ଏବଂ ପୁର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଏବଂ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରମୁଖ ଯୋଗ ଦେଇ ସେମାନଙ୍କର ମତାମତ ରଖିଥିଲେ। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (କେନ୍ଦୁପତ୍ର) ପ୍ରଭାକର ବେହେରା ବୋର୍ଡର କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥାପନା ରଖିଥିଲାବେଳେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା ସ୍ୱାଗତ ଭାଷଣ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ ଟି) ଭି.କେ. ପାଣ୍ଡିଆନ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।