ପ୍ରଦୀପ୍ତ ନାଏକଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଡାକ୍ତରୀ ଦଳଙ୍କ ଠାରୁ ପଚାରି ବୁଝିଛନ୍ତି। ଏଥିସହ ଶ୍ରୀ ନାଏକଙ୍କ ଚିକିତ୍ସା କିପରି ଚାଲିଛି ଏନେଇ ଭର୍ଚୁଆଲ ଯୋଗେ ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶିକାଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଶ୍ରୀ ନାଏକଙ୍କ ଚିକିତ୍ସା କରୁଥିବା ଭୁବନେଶ୍ୱର ଏମ୍ସ ଏବଂ କଟକ ଏସସିବି ମେଡ଼ିକାଲର ୪ ଜଣିଆ ଡାକ୍ତରୀ ଦଳ ମୁଖ୍ୟମନ୍ତ୍ରୀଙ୍କ ଆଗରେ ସ୍ୱାସ୍ଥ୍ୟାବସ୍ଥା ସମ୍ବନ୍ଧରେ କହିଛନ୍ତି। ଡାକ୍ତରୀଦଳ କହିଛନ୍ତି ଯେ, କୋଭିଡରେ ଆକ୍ରାନ୍ତ ହୋଇ ଗତ ୧୬ ଦିନ ଧରି ଭୁବନେଶ୍ୱର ଏମ୍ସ ଆଇସିୟୁରେ ଥିବା ଶ୍ରୀ ନାଏକ ବର୍ତ୍ତମାନ କୋଭିଡ୍ ନେଗେଟିଭ୍ ଅଛନ୍ତି। ହେଲେ ବ୍ୟାପକ ଇନଫ୍ଲାମେସନ୍ ଏବଂ ଫୁସଫୁସରେ ସଂକ୍ରମଣ ଯୋଗୁଁ ସେ ଏବେ ବି ଭେଣ୍ଟିଲେଟରରେ ଅଛନ୍ତି ଏବଂ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି। ତେବେ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ଡାକ୍ତରୀ ଦଳ ସବୁ ପ୍ରକାରର ପ୍ରଚେଷ୍ଟା ଜାରି ରଖିଛନ୍ତି।

ଅନ୍ୟପଟେ ଶ୍ରୀ ନାଏକ ଚିକିତ୍ସା ଲାଗି ସଠିକ୍ ସମୟରେ ଅତ୍ୟନ୍ତ ଦରକାରୀ ଔଷଧ ଏବଂ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଇଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶିକା ଡାକ୍ତର ବି. ଗୀତାଞ୍ଜଳି। ମୁଖ୍ୟମନ୍ତ୍ରୀ ମଧ୍ୟ ଡାକ୍ତରୀ ଦଳଙ୍କୁ ସେମାନଙ୍କ ପ୍ରୟାସ ଲାଗି ସାଧୁବାଦ ଜଣାଇଛନ୍ତି। ଏଥିସହ ଶ୍ରୀ ନାଏକଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ସବୁ ପ୍ରକାଶ ସହଯୋଗ ରାଜ୍ୟ ସରକାର ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି ଏବଂ ଶ୍ରୀ ନାଏକଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।