ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀଙ୍କୁ ୫-ଟି ଅଧିନରେ ଅନ‌ଲାଇନରେ ମିଳିବ ୧୧ ପ୍ରକାର ସେବା- ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,ଏନ୍ଏନ୍ଏସ୍: ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ପାଇଁ ସରକାର ପ୍ରତିଶୃତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏହି କ୍ଷେତ୍ରର ଉଦ୍ୟୋଗୀମାନଙ୍କ ସୁବିଧା ପାଇଁ ୫-ଟି କାର୍ଯ୍ୟକ୍ରମରେ ଅନ‌ଲାଇନ ଜରିଆରେ ୧୧ ପ୍ରକାର ସେବାର ଆଜି ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କ୍ଷୁଦ୍ର, ମଧ୍ୟମ ଓ ଅଣୁ ଶିଳ୍ପ ହେଉଛି ଆମ ଅର୍ଥନୀତିର ବିକାଶର ଆଧାର। ଏହି କ୍ଷେତ୍ରରେ ହିଁ ଅଧିକ ଲୋକ କର୍ମନିଯୁକ୍ତି ପାଇଥାନ୍ତି। ତେଣୁ ଏହିସବୁ ଶିଳ୍ପ ଗୁଡିକରେ ପୂର୍ଣ୍ଣ କ୍ଷମତାର ଉପଯୋଗ ପାଇଁ ରାଜ୍ୟ ସରକାର ଏକ ସହାୟକ ବାତାବରଣ ସୃଷ୍ଟି କରିବା ସହିତ ସବୁପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କରୋନା ମହାମାରୀ ସମୟରେ ସାରା ବିଶ୍ବର ଅର୍ଥନୀତି କ୍ଷତିଗ୍ରସ୍ତ ହୋଇଥିବାବେଳେ ଆମର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଗୁଡିକ ଅତ୍ୟନ୍ତ କଠିନ ଆର୍ଥିକ ପରିସ୍ଥିତି ଦେଇ ଗତି କରୁଛି। ତେଣୁ ଏହି ଉଦ୍ୟୋଗୀମାନଙ୍କୁ ସହାୟତା ଯୋଗାଇବା ପାଇଁ ପଦକ୍ଷେପ ନେବେ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ବାସନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାରଙ୍କର ସ୍ବଚ୍ଛ ନୀତି ଏବଂ ବୈଷୟିକ ଜ୍ଞାନକୌଶଳର ଉପଯୋଗ ଦ୍ୱାରା ଆଜି ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଆସିଛି। କରୋନା ମହାମାରୀ ସତ୍ତ୍ବେ ଓଡିଶା ଗତ ୧୦ ମାସ ମଧ୍ୟରେ ୧,୧୭,୦୦୦ କୋଟି ଟଙ୍କାର ପୁଞ୍ଜି ଆଣିବାରେ ସଫଳ ହୋଇଛି। ଫଳରେ ୫୩ ହଜାରରୁ ଅଧିକ ଯୁବକ ଯୁବତୀମାନଙ୍କ ପାଇଁ କର୍ମ ନିଯୁକ୍ତି ସୃଷ୍ଟି ହୋଇପାରିଛି। କ୍ଷୁଦ୍ର, ମଧ୍ୟମ ଓ ଅଣୁ ଉଦ୍ୟୋଗୀମାନେ ଯେପରି ସରକାରଙ୍କର ବିଭିନ୍ନ ଯୋଜନାର ସୁବିଧା ନେଇପାରିବେ, ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ଅଣୁ, କ୍ଷୁଦ୍ର ଓ ମଧ୍ୟମ ବିଭାଗକୁ ଧନ୍ୟବାଦ ଦେଇଥିଲେ।