ଭୁବନେଶ୍ଵର,ଏନ୍ଏନ୍ଏସ୍: କରୋନା ଭୂତାଣୁକୁ ନେଇ ସାରା ଦେଶ ଭୟଭୀତ ଥିବା ବେଳେ ଛାତ୍ରଛାତ୍ରୀଙ୍କୁ ଏହି ସମୟର ଫାଇଦା ଉଠାଇବାକୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆହ୍ୱାନ ଦେଇଛନ୍ତି। ଏ ନେଇ ସେ ଏହି ଛୁଟି ସମୟରେ ଘରେ କୌଣସି ଚିନ୍ତା ନ କରି କୁଆଡେ ପଦାକୁ ନ ବାହାରି ପାଠ ପଢ଼ିବାକୁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଶ୍ରୀ ଦାସ କହିଛନ୍ତି ଯେ ଆସନ୍ତା ୩ ମାସର ମଧ୍ୟାହ୍ନ ଭୋଜନ ପିଲାଙ୍କୁ ଦିଆଯାଇଛି।
ଜୁନ୍ ୧୫ରେ ପୁନର୍ବାର ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଆରମ୍ଭ ହେବ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ପିଲାଙ୍କ ବହି ସମସ୍ତ ବ୍ଲକରେ ପହଞ୍ଚାଇ ଦିଆଯାଇଛି। ତେବେ କରୋନା ଭୟାବହତା ପରେ ପିଲାମାନଙ୍କ ନିକଟରେ କିଭଳି ବହି ପହଞ୍ଚିବ ସେଥିପାଇଁ ପ୍ରୟାସ କରାଯିବ। ସେହିପରି ନବମ ଶ୍ରେଣୀ ପିଲାଙ୍କର ସମସ୍ତ ପରୀକ୍ଷା ଶେଷ ହୋଇଥିବା ବେଳେ ଗୋଟିଏ ବିଷୟ ବାକି ରହିଛି। କରୋନା ଭୟାବହତା ପରେ ବାକି ଥିବା ପେପରର ପରୀକ୍ଷା କରାଇବାକୁ ବିଭାଗ ଚିନ୍ତା କରୁଛି। ତେଣୁ ଏହି ଛୁଟି ସମୟରେ ପିଲାଙ୍କୁ ଘରେ ରହି ପାଠ ପଢିବା ପାଇଁ ଅନୁରୋଧ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ।