କରୋନା ଟିକା ସମ୍ପର୍କରେ ପୁନାୱାଲାଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଆଦର ପୁନାୱାଲାଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ କରୋନା ଟିକା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପୁନାୱାଲାଙ୍କୁ କରୋନା ଟିକା ପ୍ରସ୍ତୁତିରେ ତାଙ୍କର ଅଗ୍ରଗତିକୁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହିତ ଟିକା ପ୍ରସ୍ତୁତ ହେଲେ ପ୍ରଥମେ ଓଡ଼ିଶାକୁ ଟିକା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ତେବେ ଅଗଷ୍ଟ ମଧ୍ୟ ଭାଗରେ ଏହି ଟିକାର ପରବର୍ତ୍ତୀ ପରୀକ୍ଷଣ ହେବ ଓ ଅକ୍ଟୋବର-ନଭେମ୍ବର ବେଳକୁ ଟିକା ପ୍ରସ୍ତୁତ ହୋଇଯିବ ବୋଲି ପୁନାୱାଲା କହିଛନ୍ତି।

ସୂଚନା ଅନୁସାରେ ପ୍ରାରମ୍ଭିକ ପର୍ଯ୍ୟାୟରେ କୋଭିଡ଼-୧୯ ଟିକାର ପ୍ରୟୋଗରେ ସଫଳତା ମିଳିଥିବା ଶ୍ରୀ ପୁନାୱାଲା ଗଣମାଧ୍ୟମରେ ପ୍ରକାଶ କରିଥିଲେ। ଏଥିସହ ଭାରତ ସରକାରଙ୍କଠାରୁ ଲାଇସେନ୍ସ ମିଳିବା ପରେ ଟିକା ପରୀକ୍ଷଣ ଆରମ୍ଭ କରାଯାଇପାରିବ ଓ ବହୁ ପରିମାଣର ଟିକା ପ୍ରସ୍ତୁତ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ। ଡିସେମ୍ବର ସୁଦ୍ଧା ତାଙ୍କ କମ୍ପାନୀ ଅନ୍ୟୂନ ୩୦୦ ନିୟୁତ କରୋନା ଟିକା ପ୍ରସ୍ତୁତ କରିପାରିବ। ଏହି ଅବସରରେ କରୋନା ଟିକାର ମୂଲ୍ୟ ପ୍ରାୟ ୧୦୦୦ ଟଙ୍କା ମଧ୍ୟରେ ରହିବ ବୋଲି ଶ୍ରୀ ପୁନାୱାଲା ଆକଳନ କରିଛନ୍ତି।