ଜୁଲାଇ ପହିଲାରୁ ଭୁବନେଶ୍ୱରରୁ ପ୍ରୟାଗରାଜକୁ ଉଡ଼ିବ ବିମାନ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଜୁଲାଇ ପହିଲାରୁ ଭୁବନେଶ୍ୱରରୁ ପ୍ରୟାଗରାଜକୁ ସିଧା ବିମାନ ସେବା ଆରମ୍ଭ ହେବ। ବୁଧବାର ରାଜ୍ୟରେ ବିମାନ ସଂଯୋଗ ବୃଦ୍ଧି ପ୍ରସଙ୍ଗରେ ଚାଲିଥିବା ଉଚ୍ଚସ୍ତରୀୟ ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। ଏହା ସହିତ ବ୍ୟାଙ୍କକ୍, ସିଙ୍ଗାପୁର, ଆବୁଧାବିକୁ ବିମାନ ଉଡ଼ାଣ ନେଇ ମଧ୍ୟ ଆଲୋଚନା ହୋଇଛି। ଉତ୍ତର ପୂର୍ବାଞ୍ଚଳ ଓ ବିମାନ ଯୋଗାଯୋଗ ନ ଥିବା ଅଞ୍ଚଳ ଉପରେ ଗୁରୁତ୍ୱାରୋପ କରାଯାଇଛି ଓ ଏସବୁ ଅଞ୍ଚଳକୁ ଘରୋଇ ବିମାନ ଉଡ଼ାଣ ପାଇଁ ପ୍ରସ୍ତାବ ଦିଆଯାଇଥିବା ସଚିବ କହିଛନ୍ତି। ଘରୋଇ ଉଡ଼ାଣ ପାଇଁ ୧ ପ୍ରତିଶତ ଭୋଟରେ ସରକାରଙ୍କ ପକ୍ଷରୁ ଇନ୍ଧନ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି।

ରାଜ୍ୟରେ ବିମାନ ସଂଯୋଗ ବୃଦ୍ଧିକୁ ନେଇ ଭୁବନେଶ୍ୱର ସ୍ଥିତ ମେଫେୟାର ହୋଟେଲରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରାୟ ୨୫ଟି ବିମାନ କମ୍ପାନୀର ସିଇଓଙ୍କ ସହ ଆଲୋଚନା କରିଥିଲେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସଚିବ, ଯୁଗ୍ମ ସଚିବ ଉଷା ପାଢୀ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ବିଭାଗୀୟ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ।