ପରୀ ହତ୍ୟା ମାମଲାର ଏସଆଇଟି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ନୟାଗଡ଼ ପରୀ ହତ୍ୟା ମାମଲାର ଏସଆଇଟି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଭିଡିଓ କନଫରେନ୍ସିଂ ଜରିଆରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ବେଳେ ବିରୋଧୀ ଦଳର ନେତାମାନେ ହୋହାଲ୍ଲା କରୁଥିବା ଦେଖିବାକୁ ମିଳିଛି।

ଅନ୍ୟପଟେ ଏହି ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିଜେପି ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛି। ଏନେଇ ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ବିଧାନସଭା ଅଭିମୁଖେ ଯାଉଥିବା ଶୋଭାଯାତ୍ରାକୁ ବିଧାନସଭା ଆଗରେ ଅଟକାଇଥିଲା ପୁଲିସ। ଏହାପରେ ଆନ୍ଦୋଳନକାରୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପୁଲିସ ଆନ୍ଦୋଳନକାରୀଙ୍କୁ ଘଟଣାସ୍ଥଳରୁ ଉଠାଇ ନେଇଥିଲା।

ବାଇକରେ ଏଜି ଛକରୁ ଆସୁଥିବା ବେଳେ ପୁଲିସ‌ ବିଧାନସଭା ସମ୍ମୁଖରୁ ୧୦ରୁ ୧୫ ଜଣ ଯୁବକଙ୍କୁ ଉଠାଇ ନେଇଥିଲା। ଏହି ଯୁବକମାନେ ବିଜେପି କର୍ମୀ ବୋଲି ସୂଚନା ମିଳିଛି। ପୁଲିସ ସେମାନଙ୍କୁ ପଚରାଉଚରା କରୁଥିବା ନେଇ ସୂଚନା ମିଳିଛି।