ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଷୋଡ଼ଶ ବିଧାନସଭାର ବିଧାୟକ ଓ ବିଧାୟିକାଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ଓଡ଼ିଶା ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ଆରମ୍ଭ ହୋଇଥିବା ପ୍ରଶିକ୍ଷଣ ଶିବିରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ବିଧାୟକଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ଏଥିସହ ଶାଳୀନତା ଓ ସରଳ ଜୀବନଯାପନ ପାଇଁ ପରାମର୍ଶ ଦେଇଛନ୍ତି। ଲୋକସଭା ସଚିବାଳୟ ସହଯୋଗରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ଅଭିଜ୍ଞ ବିଧାୟକ ଓ ମନ୍ତ୍ରୀ ଅଂଶଗ୍ରହଣ କରି ବିଧାନସଭାର କାର୍ଯ୍ୟବିଧି ଓ ପରିଚାଳନା ନିୟମାବଳୀ ଉପରେ ଆଲୋଚନା କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିବିଧତାର ଦେଶ ଭାରତରେ ଲୋକତନ୍ତ୍ର ଦିନକୁ ଦିନ ସୁଦୃଢ ହେଉଛି। ଗଣତନ୍ତ୍ରର ଏହି ସଫଳତାର ଶ୍ରେୟ ହେଉଛନ୍ତି ସାଧାରଣ ଜନତା। ଆମର ସଫଳ ଲୋକତନ୍ତ୍ର ସୀମା ଆମ ଜନସାଧାରଣ ଭଲ ଭାବରେ ବୁଝନ୍ତି ଏବଂ ଲୋକତନ୍ତ୍ର ପ୍ରତି ତାଙ୍କର ଆସ୍ଥା ରହିଛି। ଜନତା ହେଉଛନ୍ତି ଗଣତନ୍ତ୍ରର ରିଅଲ ମାଷ୍ଟର। ତେଣୁ ସମସ୍ତ ନିର୍ବାଚିତ ପ୍ରତିନିଧିମାନେ ଏହାକୁ ହୃଦୟଙ୍ଗମ କରିବା ଆବଶ୍ୟକ। ଗଣତନ୍ତ୍ରର ସଫଳତା ଲୋକଙ୍କ ଉପରେ ନିର୍ଭର କରେ। ଲୋକଙ୍କ ନିକଟତର ହୁଅ। ଯେତେବଡ଼ ପଦବୀରେ ଥିଲେ ମଧ୍ୟ ଲୋକଙ୍କ ହିତ ପାଇଁ କାମ କର। ନିୟମ ତିଆରି କରିବା ବିଧାୟକମାନଙ୍କର ପ୍ରଥମିକ କାର୍ଯ୍ୟ। ସେଥିପାଇଁ ବିଧାୟକମାନଙ୍କୁ ସମସ୍ତ ସାମାଜିକ ଓ ଅର୍ଥନୈତିକ ପ୍ରସଙ୍ଗ ଓ ନୀତି ନିୟମ ବୁଝିବାର ଆବଶ୍ୟକତା ରହିଛି। ତେଣୁ ସାଧାରଣ ଲୋକଙ୍କ ସମସ୍ୟା ଦୂର ପାଇଁ କାମ କର। ବିଧାୟକମାନେ ଏସବୁ ବୁଝି ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇଲେ ଯାଇ ପରିବର୍ତ୍ତନରେ ସେମାନଙ୍କର ପ୍ରକୃତ ସହଭାଗିତା ରହିବ। ସାର୍ବଜନିକ ମହତ୍ୱ ନିହିତ ପ୍ରସଙ୍ଗ ଆମ ଗଣତନ୍ତ୍ରର ଆଦର୍ଶ। ଗଣତନ୍ତ୍ରରେ ଅସନ୍ତୋଷ ଏକ ଅଧିକାର। ଏହି ଅଧିକାର ସାବ୍ୟସ୍ତ କରିବା ସମୟରେ ଜଣେ ଜନ ପ୍ରତିନିଧି ଗଣତନ୍ତ୍ରର ଶାଳିନତା ଭୁଲିଯିବା ଉଚିତ ନୁହେଁ। ଜଣେ ନିର୍ବାଚିତ ପ୍ରତିନିଧି ସବୁବେଳେ ଲୋକଙ୍କ ପାଇଁ ଉଦାହରଣ ପାଲଟିବା ଦରକାର। ସରଳ ଜୀବନଜାପନ କରି ଲୋକଙ୍କ ସବୁ ସୁବିଧା ଅସୁବିଧା ବୁଝିବା ଜଣେ ପ୍ରତିନିଧିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ ବାଚସ୍ପତି କହିଥିଲେ, ପ୍ରତି ୧୫ଦିନରେ ଥରେ ବିଧାୟକଙ୍କ ବୈଠକ ହେବ। ଏନେଇ ନୀତିଗତ ନିଷ୍ପତ୍ତି ହୋଇଛି। ସରକାରୀ ଯୋଜନାରେ ହେଉଥିବା ବିଭିନ୍ନ ଖର୍ଚ୍ଚ ଉପରେ ବିଧାୟକଙ୍କୁ ଅବଗତ କରାଯିବ। ବିଧାନସଭାକୁ ପ୍ରଥମଥର ପାଇଁ ଆସିଥିବା ବିଧାୟକମାନେ ଏହାଦ୍ୱାରା ଉପକଖୃତ ହେବେ। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଉପବାଚସ୍ପତି ରଜନୀକାନ୍ତ ସିଂ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ପ୍ରାଇଡ ଲୋକସଭାର ନିର୍ଦ୍ଦେଶକ ପୁଲିନ ଭୂତିଆ ଏବଂ ବିଧାନସଭା ସଚିବ ଦାଶରଥୀ ଶତପଥୀ ବକ୍ତବ୍ୟ ଦେଇଥିଲେ।