ଓଡିଶା ଧାନକୁ ନା କଲେ ଛତିଶଗଡ଼ ସରକାର, ସୀମାନ୍ତରେ ମୁତୟନ କଲେ ପୁଲିସ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଓଡିଶାର ଧାନକୁ ଛତିଶଗଡ଼ ସରକାର ରଖିବାକୁ ମନା କରିଦେଇଛନ୍ତି। ଓଡିଶାର ଧାନ ଯେପରି ଛତିଶଗଡ଼କୁ ବିକ୍ରି ପାଇଁ ନ ଯାଏ ସେନେଇ ଛତିଶଗଡ଼ ସରକାର ସୀମାରେ ପୁଲିସ ମୁତୟନ କରିଛନ୍ତି। ତେବେ ଛତିଶଗଡ଼ ସରକାରଙ୍କ ଏହି ପଦକ୍ଷେପ ପରେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ ଉପାନ୍ତ ଅଞ୍ଚଳର ଚାଷୀମାନେ ଦ୍ୱିଧାରେ ପଡିଛନ୍ତି। ଏହି ଚାଷୀମାନଙ୍କର ଘର ଓଡିଶାରେ ହୋଇଥିବା ବେଳେ ଜମି ଛତିଶଗଡ଼ରେ ରହିଛି। ଓଡିଶାରେ ରହୁଥିବା ଏହି ଚାଷୀମାନେ ପ୍ରତିବର୍ଷ ଛତିଶଗଡ଼ରେ ଥିବା ନିଜ ଜମିରେ ଚାଷ କରିଥାଆନ୍ତି। ହେଲେ ବିକ୍ରି ସମୟରେ ଓଡିଶାର ଜମି ହୋଇ ନଥିବାରୁ ଓଡିଶାରେ ବିକ୍ରି କରିପାରନ୍ତି ନାହିଁ। ସେହିପରି ଛତିଶଗଡ଼ର ଚାଷୀ କାର୍ଡ, ଭୋଟର କାର୍ଡ କିମ୍ବା ରାସନକାର୍ଡ ନଥିବାରୁ ଛତିଶଗଡ଼ରେ ମଧ୍ୟ ନିଜ ନାମରେ ଧାନ ବିକ୍ରି କରିପାରନ୍ତି ନାହିଁ। ଏହି ସମୟରେ ସେମାନେ ଛତିଶଗଡ଼ରେ ରହୁଥିବା ସେମାନଙ୍କ ସମ୍ପର୍କୀୟଙ୍କ ଉପରେ ନିର୍ଭର କରି ଧାନ ବିକ୍ରି କରି ଥାଆନ୍ତି। କାରଣ ଓଡିଶାରେ ବର୍ତ୍ତମାନ ଧାନ କୁଇଣ୍ଟାଲ ପ୍ରତି ମାତ୍ର ୧୮୬୫ ଟଙ୍କା ଥିବାବେଳେ ଛତିଶଗଡରେ ଧାନ କୁଇଣ୍ଟାଲ ପ୍ରତି ୨୫ଶହ ଟଙ୍କା ରହିଛି। ଏହାସହ ଛତିଶଗଡ ସରକାର ଧାନ କ୍ରୟ ସମୟରେ ଚାଷୀକୁ ବୋନସ ମଧ୍ୟ ଦେଉଛନ୍ତି। ହେଲେ ଓଡିଶାରେ ଧାନ ରେଟ କମ ସାଙ୍ଗକୁ ସରକାର ବୋନସ ମଧ୍ୟ ଦେଉ ନାହନ୍ତି ବୋଲି ଚାଷୀମାନେ କହିଛନ୍ତି।

ସେହିପରି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକରେ କେବଳ ଗୋଟିଏ ଧାନ ମିଲ୍ ରହିଛି। ଏହି ମିଲ୍ ୩୩ଟି ପଞ୍ଚାୟତର ସମସ୍ତ ଚାଷୀଙ୍କ ଧାନ କ୍ରୟ କରିପରୁ ନାହିଁ। ଫଳରେ ଉପାନ୍ତ ଚାଷୀମାନଙ୍କୁ ଦଲାଲ ସାହାଯ୍ୟରେ ଧାନକୁ ଝାରସୁଗୁଡ଼ା ମଣ୍ଡିରେ ବିକ୍ରି କରିବାକୁ ପଡୁଛି। ଦଲାଲମାନେ ଚାଷୀଙ୍କୁ କୁଇଣ୍ଟାଲ ପ୍ରତି ମାତ୍ର ୧୧ଶହରୁ ୧୨ଶହ ଟଙ୍କା ଦେଇ ଧାନ କିଣି ନେଉଛନ୍ତି। ଫଳରେ ଉପାନ୍ତ ଅଞ୍ଚଳର ଚାଷୀ ହରିଲୁଟର ଶିକାର ହେଉଛି। ଏହି ଲୁଟରୁ ବଞ୍ଚିବା ପାଇଁ ଉପାନ୍ତ ଅଞ୍ଚଳରେ ରହୁଥିବା ଚାଷୀମାନେ ସେମାନଙ୍କ ଧାନକୁ ଛତିଶଗଡ଼ରେ ଥିବା ସମ୍ପର୍କୀୟମାନଙ୍କ ସାହାଯ୍ୟରେ ରାୟଗଡ଼ ମଣ୍ଡିରେ ବିକ୍ରି କରୁଥିଲେ। ହେଲେ ବର୍ତ୍ତମାନ ଛତିଶଗଡ଼ ସରକାର ଓଡିଶା ସୀମା ସହିତ ଲାଗି ରହିଥିବା ଅଞ୍ଚଳଗୁଡିକରେ ପୁଲିସ ମୁତୟନ କରି ସୀମା ସିଲ କରି ଦେଇଛନ୍ତି। ଓଡିଶା ଧାନ ଯେପରି ଛତିଶଗଡ଼କୁ ବିକ୍ର ହେବାକୁ ନ ଆସିବ ସେଥିପାଇଁ ଚେକିଂ କଡ଼ାକଡ଼ି କରାଯାଇଛି।

ପ୍ରକାଶ ଯୋଗ୍ୟ ଯେ, ଉପାନ୍ତ ୧୯ ଖଣ୍ଡ ମୌଜାର କଣ୍ଡେକେଲା, ସୁଖାସୋଢା, ସରେଇପାଲି, ଧୂଲୁଣ୍ଡା, ଚଣ୍ଟିପାଲି, ସେମଲିଆ ପରି ଅନେକ ଗ୍ରାମ ଛତିଶଗଡ଼ ସହ ଲାଗି ରହିଛି। ଏହି ଗ୍ରାମରେ ରହୁଥିବା ଅଧିକାଂଶ ଚାଷୀଙ୍କ ଜମି ଛତିଶଗଡରେ ରହିଛି। କିଛି ଚାଷୀଙ୍କୁ ତାଙ୍କ ଶ୍ୱଶୁର ଘର ପକ୍ଷରୁ ଜମି ଦିଆଯାଇଥିବାବେଳେ କିଛି ଚାଷୀଙ୍କର ପୈତୃକ ଜମି ରହିଛି। ତେବେ ଏହି ଉପାନ୍ତ ଅଞ୍ଚଳର ଚାଷୀମାନେ ଏବେ ଧାନ କିପରି ଓ କେଉଁଠି ସୁଲଭ ମୂଲ୍ୟରେ ବିକ୍ରି କରିପାରିବେ ସେନେଇ ଚିନ୍ତାରେ ପଡିଛନ୍ତି।