ଓଡ଼ିଶାରେ ବାତ୍ୟା ସମ୍ଭାବନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ। ବାତ୍ୟାର ରୂପ ନେବା ପରେ ଉତ୍ତର-ପଶ୍ଚିମକୁ ମୁହାଁଇବାର ସମ୍ଭାବନା ରହିଛି। ଏହା ବର୍ତ୍ତମାନ ପୁଡ଼ୁଚେରୀର ଦକ୍ଷିଣ-ପୂର୍ବରେ ୫୫୦ କିମି ଓ ଚେନ୍ନାଇରେ ୫୯୦ କିମି ଦକ୍ଷିଣ ପୂର୍ବରେ ରହିବା ସହ ଗତ ୬ ଘଣ୍ଟାଧରି ଘଣ୍ଟାପ୍ରତି ୨୫ କିମି ବେଗରେ ଉପକୂଳ ଆଡ଼କୁ ଅଗ୍ରସର ହେଉଛି। ଆସନ୍ତା ୨୫ ତାରିଖ ମଧ୍ୟାହ୍ନରେ ଭୀଷଣ ବାତ୍ୟା ଆଶଙ୍କା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ସମୟରେ ୧୦୦ରୁ ୧୧୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। କିନ୍ତୁ ଓଡ଼ିଶା ଉପରେ ଏହାର ସିଧା ପ୍ରଭାବ ପଡ଼ିବ ନାହିଁ।

ସୂଚନାଯୋଗ୍ୟ, ଏହି ସମ୍ଭାବ୍ୟ ବାତ୍ୟାର ନାମ ‘ନିଭାର୍’ ରଖାଯାଇଛି। ଓଡ଼ିଶା ଉପରେ ଏହାର ସିଧା ପ୍ରଭାବ ନଥିଲେ ମଧ୍ୟ ୨୫ ଓ ୨୬ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୬ରେ ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୫ ତାରିଖ ଯାଏଁ ଗଭୀର ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।