ବାତ୍ୟା ୟାସ୍ କ୍ଷୟକ୍ଷତି ଆକଳନ ପାଇଁ ଆଜି ଚାରି ଜିଲ୍ଲା ଗସ୍ତ କରିବେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ବାତ୍ୟା ୟାସ୍ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ଗତକାଲିଠାରୁ ସାତ ଜଣିଆ କେନ୍ଦ୍ରୀୟ ଟିମ୍ ଓଡିଶାରେ ପହଞ୍ଚିଛନ୍ତି। ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବଙ୍କ ନେତୃତ୍ୱରେ ଏହି ଟିମ୍ ଆସିଛନ୍ତି। ଟିମରେ ଚାରିଜଣ ଓଡିଆ ଅଧିକାରୀ ଅଛନ୍ତି ଯେଉଁମାନେ ଦୁଇ ଦିନିଆ ସରକାରୀ ଗସ୍ତରେ ଆସି ବାତ୍ୟା ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଆକଳନ କରିବେ ଓ ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ଉପସ୍ଥାପନ କରିବେ। ଏହା ପୂର୍ବରୁ ଆଜି ସକାଳୁ ଏସଆରସି ପି.କେ ଜେନା ହୋଟେଲ ମେଫେୟାରରେ କେନ୍ଦ୍ରୀୟ ଦଳର ସଦସ୍ୟମାନଙ୍କୁ ବାତ୍ୟା ୟାସ୍ ବିଷୟରେ ସୂଚନା ଦେଇଛନ୍ତି। ଏହି ଟିମ୍ ଆଜି ଏବଂ ଆସନ୍ତାକାଲି ବାତ୍ୟା ପ୍ରଭାବିତ ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଏବଂ ମୟୂରଭଞ୍ଜ ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରିବେ।

ଆଜି ଦୁଇ ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିବା ପରେ ବାଲେଶ୍ୱର ଯାଇଥିବା ଟିମ୍ ମଙ୍ଗଳବାର ମୟୂରଭଞ୍ଜ ଏବଂ ଭଦ୍ରକ ଯାଇଥିବା ଟିମ୍ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଯାଇ କ୍ଷୟକ୍ଷତି ଆକଳନ କରିବେ। ଦୁଇ ଦିନିଆ ପରିଦର୍ଶନ ଶେଷ ହେବା ପରେ ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ ସହ ଏକ ବୈଠକ କରିବେ ବୋଲି ଆଶା କରାଯାଉଛି।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ପ୍ରଭାବିତ ଅଞ୍ଚଳ ଉପରେ ବିମାନ ସର୍ଭେ କରିଥିଲେ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଅଗ୍ରିମ ସହାୟତା ଭାବରେ କେନ୍ଦ୍ରରୁ ୫୦୦ କୋଟି ଟଙ୍କା ମଞ୍ଜୁର କରିଥିଲେ। କେନ୍ଦ୍ରୀୟ ଦଳ ଦ୍ୱାରା କ୍ଷତିର ସମ୍ପୂର୍ଣ୍ଣ ଆକଳନ କରାଯିବା ପରେ ସେ ଆହୁରି ସହାୟତା କରିବେ ବୋଲି ମଧ୍ୟ କହିଛନ୍ତି।