ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ଭୁବନେଶ୍ୱରରେ ପହଞ୍ଚିଲା କେନ୍ଦ୍ରୀୟ ଟିମ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ବନ୍ୟା ଜନିତ କ୍ଷୟକ୍ଷତି ଆକଳନ ପାଇଁ ଆଜି ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ରୀୟ ଟିମ। କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ପ୍ରବୀଣ ବଶିଷ୍ଟଙ୍କ ନେତୃତ୍ୱରେ ଏକ ୬ ଜଣିଆ ଟିମ ଆଜି ଭୁବନେଶ୍ୱରରେ ପହଞ୍ଚିଛି। ସଦସ୍ୟମାନେ ବନ୍ୟାରେ ସର୍ବାଧିକ ପ୍ରଭାବିତ ୪ ଜିଲ୍ଲା ଯଥା- ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ପୁରୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

ଏହି ଟିମରେ କୃଷି ଓ କୃଷକ କଲ୍ୟାଣ, ଜଳ ସମ୍ପଦ, ଭୂପୃଷ୍ଠ ପରିବହନ ରାଜପଥ, ଗ୍ରାମ୍ୟ ଉନ୍ନୟନ ଓ ଅର୍ଥ ମନ୍ତ୍ରାଳୟର ସଦସ୍ୟ ରହିଛନ୍ତି। ବନ୍ୟାଞ୍ଚଳ ପରିଦର୍ଶନ ପରେ ଟିମର ସଦସ୍ୟମାନେ ୧୭ ତାରିଖରେ ଭୁବନେଶ୍ୱର ଫେରି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି।