କୁକୁର ଛୁଆଙ୍କ ଉପରେ କାର୍ ଚଢ଼ାଇବା ଘଟଣା : ନୋଟିସ୍ ଦେଇ ଅଭିଯୁକ୍ତକୁ ଛାଡ଼ିଲା ପୁଲିସ

୫ କୁକୁର ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ହୃଦୟବାନ ମଣିଷ ଭୁଲିଗଲା ମାନବିକତା। ନିରୀହ କୁକୁର ଛୁଆଙ୍କ ଉପରେ ଚଢ଼ାଇଦେଲା ଗାଡ଼ି। ଏଭଳି ଘଟଣା ଲିଙ୍ଗରାଜ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ଏହି ଘଟଣାରେ ୫ଟି କୁକୁର ଛୁଆଙ୍କ ମୃତ୍ୟୁ ହୋଇଥିବାବେଳେ ଗୋଟିଏ କୁକୁରର ଚିକିତ୍ସା ଚାଲିଛି। ତେବେ କୁକୁରଙ୍କୁ ଗାଡ଼ି ଚଢ଼ାଇଥିବା ବ୍ୟକ୍ତି ଜଣକ ହେଲେ ଲିଙ୍ଗରାଜ ଥାନା ଅନ୍ତର୍ଗତ ପୁରୁଣାଭୁବନେଶ୍ୱର କୁଞ୍ଜପାଟଣା ସାହିର ପ୍ରଫୁଲ କୁମାର ରାଉତ(୫୦)। ଏନେଇ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ସୂଚନା ଅନୁଯାୟୀ, ଅଭିଯୁକ୍ତ ପ୍ରଫୁଲ ସବୁଦିନ ନିଜ ଇନୋଭା କାରରେ କାମ ସାରି ରାତିରେ ଘରକୁ ଫେରନ୍ତି। ଗତ ଶୁକ୍ରବାର ରାତିରେ ସେ କାରରେ ଘରକୁ ଯାଉଥିଲେ। ଗୋଷାଣେଶ୍ୱର ଛକରେ ଏକ ଖାଲରେ ଗୋଟିଏ କୁକୁର ପିଲା ଶୋଇଥିଲା। ଏହି ସମୟରେ ସେ ସମ୍ପୃକ୍ତ କୁକୁରକୁ ହର୍ଣ୍ଣ ମାରି ରାସ୍ତାରୁ କାଢ଼ିବା ବଦଳରେ ଗାଡ଼ି ଚଢ଼ାଇ ଦେଇଥିଲେ। ଘଟଣାସ୍ଥଳରେ ସମ୍ପୃକ୍ତ କୁକୁରପିଲାର ମୃତ୍ୟୁ ହୋଇଯାଇଥିଲା। ଏହାଦେଖି ‘ସେବା ହିଁ ସଂକଳ୍ପ’ ସଂଗଠନର ସଦସ୍ୟ ବିଶାଲ ବଟୁ ତାଙ୍କୁ ଏମିତି ନକରିବାକୁ କହିଥିଲେ। ହେଲେ ପ୍ରଫୁଲଙ୍କ ପରିବାରଲୋକେ ବିଶାଲଙ୍କୁ ଅଣଦେଖା କରିଥିଲେ। ସେହିପରି ଶନିବାର ରାତିରେ ପୁଣି ପ୍ରଫୁଲ ୫ଟି କୁକୁରପିଲାଙ୍କୁ ଗାଡ଼ି ଚଢ଼ାଇ ଦେଇଥିଲେ। ଏହାପରେ ୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣଙ୍କୁ ଓୟୁଏଟି ପ୍ରାଣୀ ଚିକିତ୍ସାକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏନେଇ ‘ସେବା ହିଁ ସଂକଳ୍ପ’ର ସଦସ୍ୟ ବିଶାଲ ବଟୁ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁ କରିଥିଲା। ପରେ ପୁଲିସ ଘଟଣାର ତଦନ୍ତ କରି ପ୍ରଫୁଲଙ୍କୁ ଥାନାକୁ ଡାକିଥିଲା। ପରେ ପଚରାଉଚରା କରିବାରୁ ସେ ତାଙ୍କ ଭୁଲ୍ ସ୍ୱୀକାର କରିଛନ୍ତି। ଏମିତିକି ଅନ୍ଧାର ଯୋଗୁଁ ସ୍ୱାମୀ ଜାଣିପାରିଲେ ନାହିଁ। ତେଣୁ କୁକୁର ପିଲାଙ୍କୁ ଭୁଲରେ ଗାଡ଼ି ଚଢ଼ାଇ ଦେଇଛନ୍ତି। ଏନେଇ ମୁଁ କ୍ଷମା ମାଗୁଛି ବୋଲି ପ୍ରଫୁଲଙ୍କ ପତ୍ନୀ ଗଣମାଧ୍ୟମ ଆଗରେ କହିଛନ୍ତି। ଏହାପରେ ପୁଲିସ ଉକ୍ତ ଗାଡ଼ିକୁ ଜବତ କରିବା ସହ ପ୍ରଫୁଲଙ୍କୁ ନୋଟିସ୍ ଦେଇ ଛାଡ଼ିଦେଇଛି।