ନାଗରିକତା ସଂଶୋଧନ ଆଇନ୍ ବିରୋଧରେ ସ୍ୱର ଉଠାଇଲା ଓଡ଼ିଶାର ମୁସଲିମ୍ ସଂଗଠନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ନାଗରିକତା ସଂଶୋଧନ ଆଇନ୍ ଓ ଜାତୀୟ ନାଗରିକ ପଞ୍ଜିକା ବିରୋଧରେ ସ୍ୱର ଉଠାଇଛି ଓଡ଼ିଶାର ମୁସଲିମ୍ ସଂଗଠନ। ତୁରନ୍ତ ଏହି ବିଲକୁ ପ୍ରତ୍ୟାହାର କରିବା ଲାଗି ମୁସଲିମମାନେ ଦାବି କରିଛନ୍ତି। ଏନେଇ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶହଶହ ମୁସଲିମମାନେ ଏକାଠି ହୋଇ ଲୋୟର ପିଏମଜିଠାରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଥିଲେ। ସେଠାରେ ସେମାନେ ଏକ ‘ସମ୍ବିଧାନ ବଞ୍ଚାଅ’ ସମାବେଶ ଆୟୋଜନ କରିଥିଲେ।

ଏହି ସମାବେଶରେ ମୁସଲିମ, ହିନ୍ଦୁ, ଶିଖ, ଈଷାଇ, ଛାତ୍ର ସମାଜ ଆଦି ସମସ୍ତ ଧର୍ମୀୟ ସମ୍ପ୍ରଦାୟର ଲୋକମାନେ ଉପସ୍ଥିତ ହୋଇ ବିରୋଧ ପ୍ରଦର୍ଶନ କରିଥିଲେ। ଦେଶରେ ବର୍ତ୍ତମାନ ସମ୍ବିଧାନ ସଂକଟ ସୃଷ୍ଟି ହୋଇଛି। ମୋଦୀ ସରକାର ଦେଶକୁ ଭାଗଭାଗ କରିବା ଲାଗି ଷଡ଼ଯନ୍ତ୍ର କରିଛନ୍ତି। ତେଣୁ ସମସ୍ତ ଭାରତୀୟମାନେ ଏକାଠି ହୋଇ ସମ୍ବିଧାନର ସୁରକ୍ଷା ପାଇଁ ମିଳିତ ସ୍ୱର ଉଠାଇବାକୁ ସେଠାରେ ଉପସ୍ଥିତ ନେତାମାନେ ଆହ୍ୱାନ କରିଥିଲେ।

ଯୁଗଯୁଗ ବର୍ଷ ଧରି ସମସ୍ତ ଧର୍ମୀୟ ସମ୍ପ୍ରଦାୟର ଲୋକମାନେ ଭାରତରେ ଶାନ୍ତିପୂର୍ଣ୍ଣ ଭାବରେ ରହିଆସୁଛନ୍ତି। ଭାରତର ସ୍ୱାଧୀନତାରେ ମୁସଲମାନଙ୍କ ଅବଦାନ ରହିଛି। ମୁସଲମାନମାନେ ଇଂରେଜଙ୍କ ବିରୋଧରେ ଲଢ଼େଇ କରି ଫାସି ଖୁଣ୍ଟରେ ଝୁଲିଛନ୍ତି। ଭାରତ ମାଟିର ସୁରକ୍ଷା ଓ ଅଖଣ୍ଡତା ରକ୍ଷା କରିବା ପାଇଁ ମୁସଲମାନମାନେ ବଳିଦାନ ଦେଇଛନ୍ତି। ହେଲେ ବର୍ତ୍ତମାନ ମୋଦୀ ସରକାର ଦେଶରେ ଭାଇଭାଇ ଭିତରେ ପାଚେରୀ ଠିଆ କରିବା ଲାଗି ଅପଚେଷ୍ଟା ଚଳାଇଛନ୍ତି। ଏହି ଅପଚେଷ୍ଟାକୁ ସଫଳ କରିବାକୁ ଦିଆଯିବ ନାହିଁ। ଏଭଳି ସମୟରେ ସମ୍ବିଧାନକୁ ରକ୍ଷା କରିବା ଲାଗି ସମସ୍ତ ସଂକଳ୍ପ ନିଅନ୍ତୁ ବୋଲି ଉପସ୍ଥିତ ନେତାମାନେ କହିଥିଲେ।