ବରଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ, ଦୁଇ ମୃତ ଓ୨୫ ଆହତ

କେନ୍ଦୁଝର, ଏନ୍ଏନ୍ଏସ୍: କାଞ୍ଜିପାଣି-ତେଲକୋଇ ରାସ୍ତାର କୁସୁମୀ ଘାଟିରେ ଗୁରୁବାର ପୁଣି ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୫ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଘଟଣାରୁ ପ୍ରକାଶ, ଓଡି୧୪-ଏ-୦୧୯୩ ନମ୍ବର ବିଶିଷ୍ଟ ସ୍ନେହା ସଫାରୀ ନାମକ ଏକ ବସ୍ ରାଉରକେଲାରୁ ବରଯାତ୍ରୀ ଧରି ଢ଼େଙ୍କିକୋଟ ନିକଟସ୍ଥ ଲଙ୍ଗଳକଣ୍ଟି ଗ୍ରାମକୁ ଆସିଥିଲା। ବାହାଘର ସରିବା ପରେ ଫେରିବା ବାଟରେ କାଞ୍ଜିପାଣି କୁମୁସୀ ଘାଟିରେ ଗୁରୁବାର ସକାଳେ ଭାରସାମ୍ୟ ହରାଇ ବସଟି ଓଲଟି ପଡିଥିଲା। ଫଳରେ ଘଟଣାସ୍ଥଳରେ ଅନୀଲ ମହାରଣା(୩୮)ଙ୍କର ମୃତ୍ୟୁ ହୋଇଥିବା ବେଳେ ଆହତ ମାନଙ୍କୁ ତେଲକୋଇ ଅଗ୍ନିଶମ ବିଭାଗ ଏବଂ ପୁଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ତେଲକୋଇ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା। ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନା ନେବା ବାଟରେ ପିଣ୍ଟୁ ମହାନ୍ତି(୩୫) ନାମକ ଆଉ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଥିଲା। ଉଭୟ ମୃତକ ଖୋର୍ଦ୍ଧା ଜିଲ୍ଲାର ଏବଂ ସେମାନେ ତାଙ୍କ ସଂପର୍କୀୟଙ୍କ ବାହାଘରର ବରଯାତ୍ରୀ ହୋଇ ବସରେ ଆସିଥିଲେ। ବସରେ ମୋଟ ୬୦ଜଣ ବରଯାତ୍ରୀ ଥିବା ବେଳେ ୫ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି।