ବିଜେପି ବିଧାୟକ ମୋହନ ମାଝୀଙ୍କ ଗାଡି ଉପରକୁ ବୋମା ମାଡ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଜେପି ବିଧାୟକ ମୋହନ ମାଝୀଙ୍କ କାର ଉପରେ ବୋମା ମାଡ କରାଯାଇଥିବା ଅଭିଯୋଗ ହୋଇଛି। ତେବେ ସେ ଏକ ନିଶ୍ଚିତ ଦୁର୍ଘଟଣାରୁ ରକ୍ଷା ପାଇ ଯାଇଛନ୍ତି। ଖବର ଅନୁଯାୟୀ, ଏକ ସାଧାରଣ ସଭାରେ ଯୋଗଦେବା ପରେ ଫେରୁଥିବା ମାଝୀଙ୍କ ଗାଡି ଉପରକୁ ଦୁଇଜଣ ମୋଟର ସାଇକେଲରେ ଆସି ଦୁଇଟି ବୋମା ଫିଙ୍ଗିଥିଲେ। ମାଣ୍ଡୁଆ ନିକଟରେ ଏହି ବିସ୍ଫୋରଣ ହୋଇଥିଲା।

ବୋମା ବିସ୍ଫୋରଣରେ ବିଧାୟକଙ୍କ କାରର ଆଗ ପ୍ୟାନେଲ ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ଏ ସମ୍ପର୍କରେ କେନ୍ଦୁଝର ଟାଉନ ପୁଲିସ ଷ୍ଟେସନରେ ଅଭିଯୋଗ କରାଯାଇଛି। ମାଝୀ କହିଛନ୍ତି, “ମୁଁ ଏକ ସଭାରେ ଯୋଗଦେବା ପରେ ଫେରୁଥିଲି, ଯେତେବେଳେ ଦୁଇଜଣ ଦୁର୍ବୃତ୍ତ ମୋ ଗାଡି ଉପରେ ଦୁଇଟି ବୋମା ଫିଙ୍ଗିଥିଲେ।

ମାଝୀ ଆହୁରି କହିଛନ୍ତି ଯେ ଯଦିଓ ତାଙ୍କ କାରର ଡ୍ରାଇଭର ଦୁର୍ବୃତ୍ତଙ୍କୁ କିଛି ଦୂର ଗୋଡ଼ାଇଥିଲେ, ତଥାପି ସେମାନେ ଘଟଣାସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଥିଲେ। ମାଝୀ କହିଛନ୍ତି, “ମୁଁ ସକାଳ ୧୧ ଟାରେ ସଭାସ୍ଥଳରେ ପହଞ୍ଚିଥିଲି ଏବଂ ଦୁର୍ବୃତ୍ତମାନେ ସକାଳ ପ୍ରାୟ ୧୧ଟା ୫୦ ସମୟରେ କାର ଉପରକୁ ବୋମା ଫିଙ୍ଗିଥିଲେ। ଗୋଟିଏ ବୋମା ଫିଙ୍ଗିବା ପରେ ଦୁର୍ବୃତ୍ତମାନେ ଖସି ପଳାଇଥିଲେ। କିନ୍ତୁ ସେମାନେ ପୁନର୍ବାର ଫେରି ଅନ୍ୟ ଏକ ବୋମା ମାଡ କରିଥିଲେ।”