ସୁଶାନ୍ତଙ୍କ ସମ୍ପର୍କରେ ଏମିତି କହିଲେ ପୂର୍ବ ମ୍ୟାନେଜର

ମୁମ୍ବାଇ, ଏଜେନ୍ସି : ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ତଥ୍ୟ ରଖିଛନ୍ତି ସୁଶାନ୍ତଙ୍କ ପୂର୍ବ ମ୍ୟାନେଜର ଅଙ୍କିତ ଆଚାର୍ଯ୍ୟ। ସୁଶାନ୍ତଙ୍କୁ ତାଙ୍କର ଷ୍ଟାଫମାନେ ମିଳିମିଶି ହତ୍ୟା କରିଛନ୍ତି ବୋଲି କହିଛନ୍ତି ଅଙ୍କିତ। ଏହା ସହିତ ସୁଶାନ୍ତ କେବେ ମଧ୍ୟ କବାଟ ବନ୍ଦ କରି ଶୁଅନ୍ତି ନାହିଁ ବୋଲି ସେ ଜୋର୍ ଦେଇ କହିଛନ୍ତି। ଅନ୍ୟପକ୍ଷରେ ସୁଶାନ୍ତଙ୍କ କକାପୁଅ ଭାଇ ତଥା ବିଧାୟକ ନୀରଜ ସିଂହ କହିଛନ୍ତି, ମୁମ୍ବାଇ ପୁଲିସ ସୁଶାନ୍ତ କେସର ସାକ୍ଷୀଙ୍କୁ ସୁରକ୍ଷା ଦେଉନଥିବାରୁ ସେମାନଙ୍କୁ ହତ୍ୟା କରାଯିବାର ଆଶଙ୍କା ରହିଛି। ସୂଚନାଯୋଗ୍ୟ, ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଏହା ମଧ୍ୟରେ ଦୁଇ ମାସ ବିତି ଗଲାଣି। ଏବେ ମଧ୍ୟ ଏ ଘଟଣା ପଛର ରହସ୍ୟ ଉନ୍ମୋଚିତ ହୋଇନାହିଁ। ପ୍ରତ୍ୟେକ ଦିନ ସୁଶାନ୍ତଙ୍କ ମୁତ୍ୟୁକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସୁଶାନ୍ତ କେସରେ ସାକ୍ଷୀ ହେଲେ ତାଙ୍କୁ ମଧ୍ୟ ମାରିଦେବା ପାଇଁ ଫୋନରେ ଧମକ ଦିଆଯାଇଛି ବୋଲି କହିଛନ୍ତି ଅଙ୍କିତ। ସୁଶାନ୍ତ ସର୍ବଦା ସକାରାତ୍ମକ ଥିଲେ। ତେଣୁ ସେ କେବେ ବି ଆତ୍ମହତ୍ୟା କରିନଥାଇପାରନ୍ତି। ସୁଶାନ୍ତଙ୍କ ସହିତ ସେ ଯେତେଦିନ କାମ କରିଛନ୍ତି, ସୁଶାନ୍ତ କେବେ କବାଟ ବନ୍ଦ କରି ଶୋଇବା ସେ ଦେଖିନାହାନ୍ତି। ଅଗଷ୍ଟ, ୨୦୧୯ରେ ସେ ଗାଁରୁ ଆସି ସୁଶାନ୍ତଙ୍କୁ ଦେଖା କରିବାକୁ ଚାହିଁଥିଲେ ହେଁ ତାଙ୍କର ଅଙ୍ଗରକ୍ଷକମାନେ ତାହା କରାଇଦେଇନଥିଲେ। ତା’ଛଡ଼ା ରୀୟା ଚକ୍ରବର୍ତ୍ତୀ ସମସ୍ତ ପୁରୁଣା ଷ୍ଟାଫଙ୍କୁ ବଦଳାଇ ସେମାନଙ୍କ ସ୍ଥାନରେ ନୂଆ ଷ୍ଟାଫ ରଖିଥିଲେ। ସେ କାହିଁକି ଏଭଳି କରିଥିଲେ ସେ ବାବଦରେ କିଛି ଜାଣନ୍ତି ନାହିଁ ବୋଲି କହିଛନ୍ତି ଅଙ୍କିତ।