ମାର୍ଚ୍ଚ ୬ ଓ ୭ରେ ବିଜେପିର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ସାଂପ୍ରତିକ ରାଜନୈତିକ, ସାମାଜିକ ପ୍ରସଙ୍ଗକୁ ନେଇ ଆଗାମୀ ମାର୍ଚ୍ଚ ୬ ଓ ୭ରେ ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ସଭାପତିତ୍ୱରେ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ପଦାଧିକାରୀ ବୈଠକ ଅନୁଷ୍ଠିତ ହେବ। ମାର୍ଚ୍ଚ ୬ ରେ ପଦାଧିକାରୀ ଏବଂ ୭ ରେ କାର୍ଯ୍ୟକାରିଣୀ ବୈଠକ ହେବ।

ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କ ସମେତ ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଏବଂ ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ସମେତ ସମସ୍ତ ସାଂସଦ ଓ ବିଧାୟକ, ରାଜ୍ୟ ପଦାଧିକାରୀ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରମୁଖ ଯୋଗଦେବେ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

ଏହି ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକରେ ଚାଷୀ ସମସ୍ୟା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ସୀମା ବିବାଦ, ବିପର୍ଯ୍ୟସ୍ତ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା, କେନ୍ଦ୍ରୀୟ ଯୋଜନା ଘୋଟାଲା, ମହିଳା ସୁରକ୍ଷା, ବେରୋଜଗାର ଆଦି ପ୍ରସଙ୍ଗ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯିବ। ଏଥିସହ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।