ବରିଷ୍ଠ ବିଜେଡି ନେତା ବିଷ୍ଣୁଦାସଙ୍କ ପରଲୋକ

ଭୁବନେଶ୍ୱର, ଏନ୍ଏନ୍ଏସ୍: ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁଦାସଙ୍କ ସୋମବାର ସନ୍ଧ୍ୟାରେ ପରଲୋକ ହୋଇଛି। କିଛିଦିନ ହେବ ସେ ଅସୁସ୍ଥ ଥିବାରୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଆଜି ତାଙ୍କର ଦେହାନ୍ତ ହୋଇଛି। ସେ ୬ଥର ବିଧାୟକ ଥିବାବେଳେ ଥରେ ମନ୍ତ୍ରୀ ଓ ଥରେ ସାଂସଦ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ଗତ ଜୁନ୍ ୨୨ ତାରିଖରେ ଚିକିତ୍ସା ପାଇଁ ତାଙ୍କୁ ରାଜଧାନୀର ଏକ ଘରୋଇ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା। ଶ୍ରୀ ଦାସ ମଧୁମେହ, ଉଚ୍ଚ ରକ୍ତଚାପ ଓ ଅନ୍ୟାନ୍ୟ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବାବେଳେ ଗତ କିଛି ଦିନ ହେବ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଦେଖା ଦେଇଥିଲା। ଆଜି ସନ୍ଧ୍ୟାରେ ସେ ଆଖି ବୁଜି ଦେଇଥିଲେ।
ତାଙ୍କର ଶେଷ ଦର୍ଶନ ପାଇଁ ହସ୍ପିଟାଲରେ ବହୁ ନେତା ଓ ସମର୍ଥକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଆସନ୍ତାକାଲି ସକାଳ ୮ଟାରେ ତାଙ୍କ ମୃତଦେହକୁ ହସ୍ପିଟାଲରେ ବିଜେଡି ରାଜ୍ୟ କାର୍ଯ୍ୟାଳୟକୁ ନିଆଯାଇ ସେଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ। ପରେ ସେଠାରୁ ବିଧାନସଭା ପରିସରକୁ ମୃତଦେହ ନିଆଯିବ। ସେଠାରେ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଜଗତସିଂହପୁରକୁ ମୃତଦେହ ନିଆଯିବ ବୋଲି ବିଜେଡି ସୂତ୍ରରୁ ସୂଚନା ମିଳିଛି।
୧୯୫୪ ମସିହା ଅକ୍ଟୋବର ୯ ତାରିଖରେ ଜଗତସିଂହପୁର ଜିଲ୍ଲାରେ ଶ୍ରୀ ଦାସ ଜନ୍ମଲାଭ କରିଥିଲେ। ଛାତ୍ର ଜୀବନରୁ ହିଁ ସେ ରାଜନୀତି ସହ ଓତଃପ୍ରୋତ ଭାବେ ଜଡ଼ିତ ଥିଲେ। ସେ ଏସଭିଏମ୍ କଲେଜ ଛାତ୍ର ସଂସଦର ସଭାପତି ଭାବେ ୩ଥର ନିର୍ବାଚିତ ହୋଇଥିଲେ। ୧୯୮୦ ମସିହାରେ ଛାତ୍ର ଆନ୍ଦୋଳନର ନେତୃତ୍ୱ ନେବା ଓ ବହୁଚର୍ଚ୍ଚିତ ଛବିରାଣୀ ହତ୍ୟାକାଣ୍ଡ ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ଦେବା ଦାବିରେ ବିକ୍ଷୋଭ କରି ଜେଲ୍ ଯାଇଥିଲେ। ପରେ ବିଜୁ ପଟ୍ଟନାୟକଙ୍କୁ ନିଜର ଆଦର୍ଶ ଭାବେ ଗ୍ରହଣ କରି ଜନତା ଦଳରେ ସାମିଲ ହୋଇ ରାଜ୍ୟ ଜନତା ଦଳର ସାଧାରଣ ସମ୍ପାଦକ ହୋଇଥିଲେ। ପ୍ରଥମ ଥର ପାଇଁ ସେ୧୯୮୫ରେ ନିର୍ବାଚନ ହାରିଥିଲେ। ହେଲେ ପରେ ୧୯୯୦ ମସିହାରୁ କ୍ରମାଗତ ଭାବେ ଜଗତସିଂହପୁର ବିଧାନସଭା ଆସନରୁ ବିଜୟୀ ହୋଇଆସୁଥିଲେ। ୨୦୧୪ ସାଧାରଣ ନିର୍ବାଚନରେ ପରାଜିତ ହେବା ପରେ ୨୦୧୬ରେ ତାଙ୍କୁ ବିଜେଡି ପକ୍ଷରୁ ରାଜ୍ୟସଭାକୁ ପଠାଯାଇଥିଲା। ପରେ ତାଙ୍କୁ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ମିଳିବା ପରେ ସେ ୨୦୧୭ ମାର୍ଚ୍ଚ ୨୧ରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ। ୨୦୧୯ ମସିହାରେ ବିଜେଡି ତାଙ୍କୁ ତିର୍ତ୍ତୋଲ୍ ବିଧାନସଭାରୁ ପ୍ରାର୍ଥୀ କରିଥିବାବେଳେ ସେଠାରୁ ସେ ବହୁ ଭୋଟ୍ରେ ବିଜୟୀ ହୋଇଥିଲେ। ଏହାଛଡ଼ା ଦୀର୍ଘବର୍ଷ ଧରି ସେ ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ଶ୍ରୀ ଦାସ ଜଣେ ଦୃଢ଼ ସଂଗଠକ ଭାବେ ବେଶ୍ ଜଣାଶୁଣା ଥିଲେ।
ତାଙ୍କ ପରଲୋକରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ସ୍ୱର୍ଗତଃ ଦାସ ଜଣେ ଲୋକପ୍ରିୟ ଜନନେତା, ଦକ୍ଷ ସଂଗଠକ ଓ ପ୍ରଶାସକ ଥିଲେ। ମନ୍ତ୍ରୀ, ସାଂସଦ ତଥା ବିଧାୟକ ଭାବେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ସେ ତାଙ୍କର ଅବଦାନ ରଖିଯାଇଛନ୍ତି। ବିଶେଷ କରି ଜଗତସିଂହପୁର ଅଞ୍ଚଳର ବିକାଶ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ଦଳିତ ଓ ସମାଜର ଅବହେଳିତ ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ସେ ସାରା ଜୀବନ ଉତ୍ସର୍ଗୀକୃତ ଥିଲେ। ବିଜୁ ଜନତା ଦଳର ଜଣେ ବରିଷ୍ଠ ନେତା ଭାବେ ଦଳର ସାଂଗଠନିକ ଶକ୍ତିକୁ ମଜଭୁତ କରିବା କ୍ଷେତ୍ରରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ଅମାୟିକ ସ୍ୱଭାବ ପାଇଁ ସେ ଦଳମତ ନିର୍ବିଶେଷରେ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।  ସେହିପରି ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ଓ ବିଧାୟକ ପ୍ରଶାନ୍ତ ମୁଦୁଲି ମଧ୍ୟ ଗଭୀର ଶୋକ ବ୍ୟକ୍ତ କରି କହିଛନ୍ତି ଯେ ଜଗତସିଂହପୁରକୁ ନୂଆ ପରିଚୟ ଦେବାରେ ବିଷ୍ଣୁ ଦାସଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବିଜେଡି ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ନେତା ଡା. ଦାମୋଦର ରାଉତ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତାଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି।