ରାନୁ ମଣ୍ଡଳଙ୍କ ଜୀବନୀକୁ ନେଇ ଫିଲ୍ମ କରିବେ ହୃଷିକେଶ

ସୋସିଆଲ୍ ମିଡିଆ ସେନସେସନ୍ ରାନୁ ମଣ୍ଡଳଙ୍କ ଜୀବନ କାହାଣୀକୁ ନେଇ ଫିଲ୍ମ କରିବେ ନିର୍ଦ୍ଦେଶକ ହୃଷିକେଶ ମଣ୍ଡଳ। ମିଡିଆ ରିପୋର୍ଟ ଅନୁସାରେ, ସ୍ୱତନ୍ତ୍ର ଫିଲ୍ମ ନିର୍ମାତା ହୃଷିକେଶ ମଣ୍ଡଳ ରାନୁଙ୍କ ବାୟୋପିକ୍ ଫିଲ୍ମ ନିର୍ମାଣ କରିବାକୁ ମନସ୍ଥ କରିଛନ୍ତି। ହୃଷିକେଶ କହିଛନ୍ତି, ପର୍ଦ୍ଦା ଉପରେ ରାନୁଙ୍କ ଚରିତ୍ରରେ ଅଭିନୟ କରିବେ ଜାତୀୟ ପୁରସ୍କାରପ୍ରାପ୍ତ ବଙ୍ଗୀୟ ଅଭିନେତ୍ରୀ ସୁଦୀପ୍ତା ଚକ୍ରବର୍ତ୍ତୀ।

ତାଙ୍କ ମତରେ ଏହି ଚରିତ୍ର ପାଇଁ ସୁଦୀପ୍ତା ଏକଦମ୍ ଫିଟ୍ ଓ ସେ ସୁଦୀପ୍ତାଙ୍କୁ ଏଥିପାଇଁ ପ୍ରସ୍ତାବ ଦେଇଛନ୍ତି। ତେବେ ସୁଦୀପ୍ତା ଫିଲ୍ମରେ କାମ କରିବା ପାଇଁ ରାଜି ହୋଇନାହାନ୍ତି କିମ୍ବା ମନା କରିନାହାନ୍ତି। ହୃଷିକେଶଙ୍କ ମତରେ ଯଦି କେହି ରାନୁ ମଣ୍ଡଳଙ୍କ ଚରିତ୍ରରେ ଖୁବ୍ ସୁନ୍ଦର ଅଭିନୟ କରିପାରିବେ ସେ ହେଉଛନ୍ତି ସୁଦୀପ୍ତା ଦିଦି।

ସୁଦୀପ୍ତା ଜଣେ ପ୍ରତିଭାବାନ୍ ଅଭିନେତ୍ରୀ। ଅନ୍ୟପକ୍ଷରେ ସୁଦୀପ୍ତା କହିଛନ୍ତି, ସ୍କ୍ରିପ୍ଟ ପଢ଼ିସାରିଲେ ହିଁ ସେ ଫିଲ୍ମ କରିବେ କି ନାହିଁ କହିବେ। ଏକ ସାକ୍ଷାତକାରରେ ସୁଦୀପ୍ତା କହିଛନ୍ତି, ରାନୁ ମଣ୍ଡଳଙ୍କ ବାୟୋପିକ୍ ରେ ଅଭିନୟ ପାଇଁ ପ୍ରସ୍ତାବ ମିଳିଛି ମାତ୍ର ସେ ଏହାର ସ୍କ୍ରିପ୍ଟ ପାଇନାହାନ୍ତି। ସ୍କ୍ରିପ୍ଟ ପଢ଼ିସାରିଲେ ହିଁ ଏଥିରେ ଆକ୍ଟିଂ କରିବେ କି ନାହିଁ ତାହା ନିଶ୍ଚିତ କରିବେ।।

ଉଲ୍ଲେଖଯୋଗ୍ୟ, ରାନୁ ମଣ୍ଡଳ ପଶ୍ଚିମବଙ୍ଗର ରାଣାଘାଟ ରେଲୱେ ଷ୍ଟେସନରେ ଗୀତ ଗାଇ ଭିକ୍ଷା ମାଗୁଥିଲେ। ସେ ଗାଇଥିବା ଲତାଙ୍କ ଲୋକପ୍ରିୟ ଗୀତ ‘ଏକ ପ୍ୟାର୍ କା ନଗମା ହେ’ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ରାତାରାତି ପ୍ରସିଦ୍ଧି ଅର୍ଜନ କରିଥିଲେ ରାନୁ। ଏହାପରେ ହିମେଶ ରେଶମିଆ ତାଙ୍କୁ ‘ତେରି ମେରି କାହାନୀ’ ଗୀତ ଗାଇବାକୁ ସୁଯୋଗ ଦେଇଥିଲେ।