ପଞ୍ଜାବ: ଆମ ଆଦମୀ ପାର୍ଟି ନେତା ଭଗବନ୍ତ ମାନ ପଞ୍ଜାବର ୧୭ତମ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି । ସହିଦ ଭଗତ ସିଂହଙ୍କ ଗାଁ ଖଟକଡ଼ କଲା ଗାଁରେ ଆୟୋଜିତ ଭବ୍ୟ ସମାରୋହରେ ରାଜ୍ୟପାଳ ବନବାରୀଲାଲ ପୁରୋହିତ ତାଙ୍କୁ ଶପଥପାଠ କରାଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଦିଲ୍ଲୀ ସରକାରର ସବୁ ମନ୍ତ୍ରୀ ଉପସ୍ଥିତ ଥିଲେ ।
ଏହି ଅବସରରେ ଭଗବନ୍ତ ମାନ କହିଛନ୍ତି ଯେ, ‘ପଞ୍ଜାବର କୋଣ-ଅନୁକୋଣରୁ ଆସିଥିବା ଲୋକଙ୍କୁ ଅଭିବାଦନ କରୁଛି । ଏଠାକୁ ଆସିଥିବାରୁ ଆପଣମାନଙ୍କୁ ଧନ୍ୟବାଦ । ଏଠାରେ ଦିଲ୍ଲୀ ସରାକର ଏବଂ ତାଙ୍କ କ୍ୟାବିନେଟ ବସିଛି । ମୋ ପାଇଁ ଖଟକଲ କଲା ନୂଆ କଥା ନୁହେଁ । ଯେତିକି ଭଲ ପାଇବା ଆପଣମାନେ ମୋତେ ଓ ‘ଆପ୍’କୁ ଦେଇଛନ୍ତି ତାହା ମୁଁ ପ୍ରକାଶ କରିପାରିବି ନାହିଁ । ଏହା ପୁରା ପଞ୍ଜାବର ସରକାର ।’