ବର୍ଷା-ଅନୁଭବଙ୍କ ବିବାଦ ଥାନାରେ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦିନକୁ ଦିନ ଜଟିଳ ହେବାରେ ଲାଗିଛି ବର୍ଷା-ଅନୁଭବଙ୍କ ବିବାଦ। ଅଦାଲତ ପରେ ବର୍ତ୍ତମାନ ବିବାଦ ଥାନାରେ ପହଞ୍ଚିଛି। ବର୍ଷାଙ୍କ ବେଡରୁମରେ ଭିଡିଓ ସୁଟିଂ ଘଟଣାରେ ପୁରୀଘାଟ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି। ସେହିପରି ଭିଡିଓ ସୁଟ କରିଥିବା ଦୁଇ ଯୁବକ ସୁଜିତ ଓ ଖଗେନ୍ଦ୍ରଙ୍କୁ ପୁଲିସ ଜେରା କରୁଛି। ସେହିପରି ବର୍ଷାଙ୍କୁ ୨୪ ଘଣ୍ଟିଆ ସିକ୍ୟୁରିଟି ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି। ନିଜକୁ ଅସୁରକ୍ଷିତ ମଣି ପୁଲିସ ହେଲ୍ପଲାଇନ ୧୦୦ ନମ୍ବରକୁ କଲ କରି ପୁରୀ ଘାଟ ଥାନାରେ ବିଦ୍ଧିବଧ ଲିଖିତ ଅଭିଯୋଗ କରିଥିଲେ ବର୍ଷା। ବାରଣ ସତ୍ତ୍ବେ ବେଡରୁମରେ ପଶି ଅନୁଭବଙ୍କ ୨ ସହଯୋଗୀ ଭିଡିଓ ଉତ୍ତୋଳନ କରିବାରୁ ଲଜ୍ଜିତ ଓ ଭୟଭୀତ ଥିବା ଏବଂ ଏହା ତାଙ୍କୁ ଘରୁ ବାହାର କରିବା ପାଇଁ ଏକ ଷଡଯନ୍ତ୍ର ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି ବର୍ଷା।

ସେପଟେ ଯଦି ପାରିବାରିକ ହିଂସା ହେଉଛି ତାହେଲେ ବର୍ଷା କାହିଁକି ଶାଶୂ ଘରେ ରହୁଛନ୍ତି ବୋଲି ଅନୁଭବଙ୍କ ପ୍ରଶ୍ନର କଡା ଯବାବ ରଖିଛନ୍ତି ବର୍ଷାଙ୍କ ଓକିଲ। ସେ କହିଛନ୍ତି ବର୍ଷା ଚାହୁଁଛନ୍ତି କୁପଥଗାମୀ ସ୍ୱାମୀଙ୍କୁ ସୁପଥକୁ ଆଣିବେ। ଶାଶୂଘରେ ରହି ଆଇନ ଅନୁସାରେ ନିଜକୁ ସୁରକ୍ଷା ଦେବା ସହିତ ବିବାହକୁ ଚୀର ସ୍ଥାୟୀ କରିବାକୁ ଚାହାନ୍ତି। ଅନୁଭବଙ୍କ କଥାରେ ସେ ଶାଶୂଘରୁ ବାହାରିବେ ନାହିଁ ବୋଲି ବର୍ଷା ସ୍ପଷ୍ଟ କରିଥିବା କହିଛନ୍ତି।

ଅନ୍ୟପଟେ ସୋସିଆଲ ମିଡ଼ିଆରେ ଅନୁଭବଙ୍କ ଗଣେଶ ପୂଜାର ଭିଡିଓ ପୋଷ୍ଟରେ ଜବାବ ରଖିଛନ୍ତି ବର୍ଷା। ସେ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଲେଖିଛନ୍ତି ଯେ, ମୁଁ ସାଢ଼େ ୬ ବର୍ଷ ସବୁପ୍ରକାର କଷ୍ଟ ସହିବା ପରେ ଯେତେବେଳେ ବୈବାହିକ ଜୀବନ ଅସୁରକ୍ଷିତ ହୋଇପଡ଼ିଲା, ସେତେବେଳେ ବାଧ୍ୟ ହୋଇ ମତେ ଆଇନର ସାହାରା ନେବାକୁ ପଡ଼ିଲା। ଏହା ମୋର ଶାଶୂ ଘର, ଏଠାକୁ ବାହା ହୋଇ ଆସିଛି। ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଏଠି ରହିବାର ସମ୍ପୂର୍ଣ୍ଣ ଅଧିକାର ମୋର ଅଛି। ସ୍ୱାମୀଙ୍କ ଦ୍ୱାରା ଘରୋଇ ହିଂସାର ଶିକାର ହୋଇଥିଲେ ମଧ୍ୟ ଆଇନର ସାହାଯ୍ୟ ନେଇ ଏହି ଘରେ ହିଁ ତାର ସମାଧାନ କରିବାକୁ ଚେଷ୍ଟା କରୁଛି। ମୁଁ ମିଡ଼ିଆ ଆଗରେ ଘରର ଗୁମର କଥା ପଦାରେ ପକାଇବାକୁ ଚାହୁଁ ନଥିଲି। ମୋ ଦୁଇ ପରିବାରର ମର୍ଯ୍ୟାଦା ଓ ସ୍ୱାମୀଙ୍କ ସମ୍ମାନ ପାଇଁ ଚୁପ ରହିଥିଲି। ସ୍ୱାମୀ ବର୍ତ୍ତମାନ ମିଡ଼ିଆରେ କହୁଛନ୍ତି ଏହା ବ୍ୟକ୍ତିଗତ ବ୍ୟାପାର, ରାଜନୈତିକ ନୁହେଁ। ତେବେ ଏହା ଯଦି ରାଜନୈତିକ ନୁହେଁ ତା ହେଲେ ଏମପି ପ୍ୟାଡରେ କାହିଁକି ପ୍ରେସ ରିଲିଜ କରିଛନ୍ତି।

ଯଦି ମତେ ଭଲ ପାଉଛନ୍ତି ତା ହେଲେ ମୋର ୨ଟି ନମ୍ବରକୁ କାହିଁକି ବ୍ଲକ କରିଛନ୍ତି। ଗୋଟିଏ ପରେ ଗୋଟିଏ ପରକୀୟା ପ୍ରୀତି ପାଇଁ କଷ୍ଟ ପାଇଚାଲିଥିଲି। ତଥାପି ବାହାଘର ଭାଙ୍ଗିବାକୁ କେବେ ଚାହିଁନାହିଁ। ସଜାଡିବାର ଆତ୍ମବିଶ୍ୱାସ ଅଛି। ବାହାଘର ଓ ମୋ ମଥାର ସିନ୍ଦୂର ମୋ ପାଇଁ ଖେଳ ନୁହେଁ। ମୁଁ ଜଣେ ସୁଗୃହିଣୀ ହିସାବରେ ମୋର ପ୍ରତ୍ୟେକ ଦାୟିତ୍ୱ, କର୍ତ୍ତବ୍ୟ କରିଆସିଛି। ମୋ ସ୍ୱାମୀ ଆଜି ଅବାଟକୁ ଚାଲିଯାଇଛନ୍ତି। ତେଣୁ ତାଙ୍କୁ ଠିକ୍ ରାସ୍ତାକୁ ଆଣି ଶେଷ ଜୀବନ ଯାଏଁ ଅନୁଭବଙ୍କ ପତ୍ନୀ ହୋଇ ରହିବାକୁ ଚାହେଁ। ମୁଁ ଛାଡପତ୍ର ଚାହେଁ ନାହିଁ। ସ୍ୱାମୀ ପୋଷ୍ଟ କରିଥିବା ଭିଡିଓ ଏହା ସ୍ପଷ୍ଟ କରୁଛି କି ମୁଁ ଶାଶୂ ଘରେ କିପରି ଚଳେ। ଏପରି ଭିଡିଓ ତାଙ୍କର ପିଟିସନରେ ଲିଖିତ ଅଭିଯୋଗକୁ ମିଥ୍ୟା ପ୍ରମାଣିତ କରୁଛି। ତେଣୁ ମୋ ବାହାଘରକୁ ବଞ୍ଚାଇବା ପାଇଁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଚେଷ୍ଟା କରିଚାଲିବି ବୋଲି ବର୍ଷା ଲେଖିଛନ୍ତି।