କେନ୍ଦୁଝର, ଏନ୍ଏନ୍ଏସ୍: ସିରାଜୁଦ୍ଦିନ କମ୍ପାନୀର ବଲଦା ଖଣି ମୁଖ୍ୟ ଫାଟକ ସମ୍ମୁଖରେ ମୁଷ୍ଠିମେୟ ଓ କୁଚକ୍ରୀ ଗୋଷ୍ଠୀର ପ୍ରରୋଚନାରେ ଚାଲିଥିବା ଧାରଣାକୁ ବଡ଼କାଳିମାଟି, ପଲସା ଓ ନୟାଗଡ଼ ପଞ୍ଚାୟତର ଲୋକମାନେ ତୀବ୍ର ବିରୋଧ କରିଛନ୍ତି। ଯୋଡ଼ା ପଞ୍ଚାୟତ ସମିତିର ଅଧ୍ୟକ୍ଷା ସୁକୁମାରୀ ଦେହୁରୀ, ପଲସା ପଞ୍ଚାୟତର ସରପଞ୍ଚ ନିରୂପମା ନାୟକ, ନାୟବ ସରପଞ୍ଚ ଜେଠୁରାମ ମହାନ୍ତ, ୨୭ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ତଥା ସମାଜସେବୀ ବାସୁଦେବ ନାଏକ, ୧୬ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ମନ୍ମଥ ମୁଣ୍ଡା, ବଡ଼କାଳିମାଟି ପଞ୍ଚାୟତର ସମିତି ସଭ୍ୟ ହରେକୃଷ୍ଣ ପୂର୍ତ୍ତି, ଗଙ୍ଗାଧର ନାଏକ ଓ ପ୍ରିତମ୍ ବାରିକଙ୍କ ନେତୃତ୍ୱରେ ଏହି ୩ ପଞ୍ଚାୟତର ବହୁ ଲୋକ ଆଜି ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ପ୍ରତିବାଦ କରିବା ସହ ଏକ ଦାବିପତ୍ର ଦେଇଛନ୍ତି।
ଏହି ଦାବିପତ୍ରରେ ସେମାନେ ଦର୍ଶାଇଛନ୍ତି ଯେ ସିରାଜୁଦ୍ଦିନ କମ୍ପାନୀର ବଲଦା ଲୁହାପଥର ଖଣି ବଲଦା, ପଲସା, ବଡ଼ କାଳିମାଟି ଓ ନୟାଗଡ଼ ପଞ୍ଚାୟତର ମଧ୍ୟ ଭାଗରେ ଅବସ୍ଥିତ। ଏହି ୪ ପଞ୍ଚାୟତର ଲୋକଙ୍କର ବିଶେଷ କିଛି ଚାଷ ଜମି ନାହିଁ। ସମସ୍ତେ ଖଣି ଉପରେ ନିର୍ଭର କରି ଚଳନ୍ତି। ଏହି ଖଣିରେ ସିରାଜୁଦ୍ଦିନ କମ୍ପାନୀ ବହୁ ବର୍ଷ ଧରି ଲୁହାପଥର ଉତ୍ତୋଳନ ଓ ପରିବହନ କାମ କରୁଥିବାରୁ ୪ ପଞ୍ଚାୟତର ଲୋକେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଉପକୃତ ହୋଇଥାନ୍ତି। ଖଣି ଉପରେ ସେମାନଙ୍କ ଜୀବନ ଓ ଜୀବୀକା ସମ୍ପୂର୍ଣ୍ଣ ନିର୍ଭରଶୀଳ। ଏହି ଅଞ୍ଚଳର ବହୁ ଶିକ୍ଷିତ ଯୁବକ ଯୁବତୀ ବ୍ୟାଙ୍କରୁ ଋଣ କରି ଟ୍ରକ୍ ଓ ଡମ୍ଫର କିଣି ଖଣିର ପରିବହନ କାର୍ଯ୍ୟରେ ବିନିଯୋଗ କରିଛନ୍ତି। କହିବାକୁ ଗଲେ ଗାଡ଼ି ମାଲିକ, ଡ୍ରାଇଭର, ହେଲପର, ଗାଡ଼ି ଗ୍ୟାରେଜ ମାଲିକ, ଚା’ ଦୋକାନୀ, ପାନ ଦୋକାନୀ ଓ ଅନ୍ୟାନ୍ୟ ବ୍ୟବସାୟ ସଂସ୍ଥାର ଲୋକମାନେ ଖଣି ଉପରେ ନିର୍ଭର କରି ଚଳନ୍ତି। ଖଣିର ଲିଜ୍ ସରିବା ପରେ ସିରାଜୁଦ୍ଦିନ କମ୍ପାନୀ ଏହାକୁ ପୁର୍ନବାର ଲିଜରେ ନେଇ ଉତ୍ତୋଳନ କାର୍ଯ୍ୟ ଚଳାଇଛି। ୪ ପଞ୍ଚାୟତର ଲୋକେ ଲୁହାପଥର ପରିବହନ, ନିଯୁକ୍ତି ଓ ପାରିପାଶ୍ୱିର୍କ ଅଞ୍ଚଳର ବିକାଶ ପାଇଁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। ତେଣୁ ପ୍ରଥମ ପର୍ଯ୍ୟାୟରେ କମ୍ପାନୀ ପକ୍ଷରୁ ଏହି ୪ ପଞ୍ଚାୟତର ଲୋକଙ୍କୁ ପରିବହନ କାର୍ଯ୍ୟ ଦେବାକୁ ପ୍ରତିଶ୍ରୁତି ମିଳିଥିଲା। କମ୍ପାନୀ କର୍ତ୍ତୃପକ୍ଷ ୪ ପଞ୍ଚାୟତ ମଧ୍ୟରେ ପରିବହନ କାର୍ଯ୍ୟକୁ ସମାନ ଭାବରେ ବାଣ୍ଟି ଦେଇଥିଲେ। ପଲ୍ସା, ବଡ଼ କାଳିମାଟି ଓ ନୟାଗଡ଼ର ଲୋକମାନେ ପ୍ରତିଶ୍ରୁତି ଅନୁଯାୟୀ କାର୍ଯ୍ୟାଦେଶ ଗ୍ରହଣ କରିଛନ୍ତି। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ କିଛି ମୁଷ୍ଠିମେୟ ଓ କୁଚକ୍ରୀ ଲୋକଙ୍କ ପ୍ରରୋଚନାରେ ପଡ଼ି ବଲଦା ପଞ୍ଚାୟତର ଲୋକେ ପରିବହନ କାମ ନେବାକୁ ଅନିଚ୍ଛା ପ୍ରକାଶ କରି ଖଣିର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇ ପରିବହନ କାର୍ଯ୍ୟ ବନ୍ଦ କରିଛନ୍ତି। ଯାହା ଫଳରେ ଅନ୍ୟ ୩ ପଞ୍ଚାୟତର ଲୋକଙ୍କ ଜୀବନ ଜୀବୀକା ଉପରେ ଘୋର ପ୍ରଭାବ ପଡ଼ିଛି। ରାଜ୍ୟ ସରକାର ମଧ୍ୟ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି; ଯାହାକି ରାଜ୍ୟବାସୀଙ୍କ ବିଭିନ୍ନ ଉନ୍ନୟନମୂଳକ କାମରେ ଲାଗିଥା’ନ୍ତା। ତେଣୁ ଏହି ପଞ୍ଚାୟତର ଲୋକଙ୍କ ହିତ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ଜିଲ୍ଲାପାଳ ଓ ଏସପିଙ୍କୁ ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ ଯେ ଗତ ୧୫ ତାରିଖଠାରୁ ବଲଦା ଲୋକଙ୍କ ଧାରଣା ଜାରି ରହିଛି। ଧାରଣା ଯୋଗୁଁ ପରିବହନ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ। ଫଳରେ ରାଜ୍ୟ ସରକାର ଆଜି ସୁଦ୍ଧା ୧୩୧ କୋଟି ୨୫ ଲକ୍ଷ ଟଙ୍କାର ରାଜସ୍ୱ ହରାଇ ସାରିଲେଣି। ପରିବହନ କାର୍ଯ୍ୟ ହୋଇପାରୁ ନଥିବାରୁ ୩ ପଞ୍ଚାୟତର ଲୋକେ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଖଣି ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭର କରି ଚଳୁଥିବା ଲୋକମାନେ ରୋଜଗାର ହରାଇଛନ୍ତି। ତେଣୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବ୍ୟାପିବାରେ ଲାଗିଛି। ସେଥିପାଇଁ ଆଜି ସେମାନେ ସ୍ଥାନୀୟ ଲୋକପ୍ରତିନିଧିମାନଙ୍କ ନେତୃତ୍ୱରେ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଭେଟି ଆପତ୍ତି ଅଭିଯୋଗ ଜଣାଇଥିଲେ। ଖଣି ସମ୍ମୁଖ ଅଞ୍ଚଳରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣି ଶାନ୍ତି ପ୍ରତିଷ୍ଠା କରିବାକୁ ସେମାନେ ପ୍ରଶାସନକୁ ଅନୁରୋଧ କରିଛନ୍ତି।