ହ୍ୟୁମ ପାଇପ ତଳେ ବିତୁଥିଲା ଜୀବନ, ଉଦ୍ଧାର କଲେ ତହସିଲଦାର

ବାଲେଶ୍ୱର,ଏନଏନଏସ୍: ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍ ମଇଁଷାମୁଣ୍ଡା ଗ୍ରାମରେ ଡାହାଣୀ ସନ୍ଦେହରେ ଘରୁ ତଡାଖାଇଥିବା ଗୋଟିଏ ପରିବାରକୁ ଆଜି ବାଲିଆପାଳ ତହସିଲଦାର ଉଦ୍ଧାର କରିଛନ୍ତି। ତାଙ୍କ ନିର୍ଦ୍ଦେଶରେ ଅତିରିକ୍ତ ରାଜସ୍ୱ ନିରୀକ୍ଷକ ନିରଞ୍ଜନ ସିଂ ଉଦ୍ଧାର କରିଛନ୍ତି। ଉଦ୍ଧାର ହୋଇଥିବା ଦମ୍ପତି ହେଲେ ଶ୍ରୀରାମପୁର ପଞ୍ଚାୟତର ମହିଷାମୁଣ୍ଡା ଗ୍ରାମର ଲୁସ୍କୁ ଟୁଡୁ ଏବଂ ରୁକ୍ମଣୀ। ସେମାନଙ୍କୁ ଉଦ୍ଧାର କରାଯାଇ ନିଖିରା ପଞ୍ଚାୟତର ପାଳପଡା ୱାର୍ଡମେମ୍ବର ତଥା ତାଙ୍କର ସମ୍ପକୀୟ ସରସ୍ୱତୀ ହେମ୍ବ୍ରଙ୍କ ଘରେ ରଖାଯାଇଛି।

ସୂଚନା ଅନୁସାରେ,ବାଲିଆପାଳ ବ୍ଲକ ଶ୍ରୀରାମପୁର ପଂଚାୟତର ମହିଷାମୁଣ୍ଡା ଗ୍ରାମର ଲୁସ୍କୁ ଟୁଡୁ ସେଠାକାର ବାସିନ୍ଦା ଅଟନ୍ତି। କିଛିମାସ ପୂର୍ବରୁ ଲୁସ୍କୁଙ୍କ ବଡଭାଇଙ୍କର ଦୁଇ ଜଣ ପୁଅ ରୋଗରେ ପଡି ମୃତ୍ୟୁବରଣ କରିଥିଲେ। ମାତ୍ର ସେମାନଙ୍କ ମୃତ୍ୟୁର କାରଣ ଲୁସ୍କୁଙ୍କ ପତ୍ନୀ ରୁକ୍ମଣୀ ବୋଲି ତାଙ୍କ ବଡଭାଇ ସନ୍ଦେହ କରିଥିଲେ। ଏନେଇ ସେ ଗ୍ରାମବାସୀଙ୍କୁ ଜଣାଇବା ପରେ ଗ୍ରାମବାସୀ ଲୁସ୍କୁର ଘରେ ପହଞ୍ଚି ଉଭୟ ସ୍ୱାମୀ ଏବଂ ସ୍ତ୍ରୀକୁ ମୟୂରଭଞ୍ଜ ଜିଲ୍ଲାର ଏକ ତାନ୍ତ୍ରୀଙ୍କ ପାଖକୁ ନେଇଯାଇଥିଲେ। ଉକ୍ତ ତାନ୍ତ୍ରୀକ ଜଣଙ୍କ ପୂଜା ପାଠ କରି ଏମାନେ ଡାଡାଣୀ ବୋଲି କହିବାପରେ ଗ୍ରାମବାସୀ ଉଭୟଙ୍କୁ ମାଡ଼ ମାରିବା ସହ ଡାହାଣୀ ବୋଲି କହି ଏକ ସାଧା କାଗଜରେ ଟିପ ଚିହ୍ନ ନେଇ ସେମାନଙ୍କୁ ଗ୍ରାମରୁ ତଡିଦେଇଥିଲେ। ଏପରିକି ସେମାନଙ୍କୁ ନିଜ ଘରୁ କୌଣସି ଜିନିଷପତ୍ର ଆଣିବାକୁ ମଧ୍ୟ ଦେଇନଥିଲେ। ଫଳରେ ସେମାନେ ଗ୍ରାମରୁ ପଳାଇ ଆସି ଅନ୍ୟଏକ ଗ୍ରାମରେ ଥିବା ହ୍ୟୁମ ପାଇପ ତଳେ ରହୁଥିଲେ।

ଏନେଇ ବାଲିଆପାଳ ତହସିଲଦାର ଦୀପକ ଦାସ ଖବର ପାଇବାପରେ ଶ୍ରୀରାମପୁର ଅତିରିକ୍ତ ଆରଆଇ ନିରଞ୍ଜନ ସିଂଙ୍କୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଆଜି ସେମାନଙ୍କୁ ଉଦ୍ଧାର କରାଯାଇ ସେମାନଙ୍କ ସମ୍ପର୍କିୀୟଙ୍କ ଘରେ ରଖାଯାଇଛି। ପୀଡ଼ିତାଙ୍କ ଲିଖିତ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ଶ୍ରୀ ଦାସ ସୂଚନା ଦେଇଛନ୍ତି।