ସୁନ୍ଦରୀ ପାଇଁ ନବୀନଙ୍କୁ ଚିଠି

ଭୁବନେଶ୍ୱର, ଏନ୍ଏନ୍ଏସ୍: ବାଘୁଣୀ ‘ସୁନ୍ଦରୀ’ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ। ସୁନ୍ଦରୀକୁ ମଧ୍ୟପ୍ରଦେଶ ଫେରାଇନେବା ପର୍ଯ୍ୟନ୍ତ ତା’ର ଯତ୍ନ ନେବା ଲାଗି ଶିବରାଜ ଚିଠିରେ ଅନୁରୋଧ କରିଛନ୍ତି।

ଓଡ଼ିଶାରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ତ୍ୱରାନିତ କରିବା ସହିତ ବାଘ ବଂଶ ବୃଦ୍ଧି ଲାଗି ରାଜ୍ୟ ସରକାରଙ୍କ ଆଗ୍ରହ କ୍ରମେ ମଧ୍ୟପ୍ରଦେଶ ସରକାର ୨୦୧୮ରେ ଏକ ଯୋଡ଼ା ବାଘ ପ୍ରଦାନ କରିଥିଲେ। ବାଘୁଣୀ ସୁନ୍ଦରୀ ସହିତ ତା’ର ଏକ ପୁରୁଷ ସାଥୀ ଓଡ଼ିଶା ଆସିଥିଲା। ଓଡ଼ିଶାର ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ କିଛି ଦିନ ରହିବାପରେ ବାଘର ମୃତ୍ୟୁ ହୋଇଯାଇଥିଲା।

ଏହାପରେ ବାଘୁଣୀ ହିଂସ୍ର ଆଚରଣ କରିଥିଲା। ପରେ ତାକୁ ସାତକୋଶିଆରୁ ସ୍ଥାନାନ୍ତର କରି ଅନ୍ୟତ୍ର ନିଆଯାଇଥିଲା। ବର୍ତ୍ତମାନ ଓଡ଼ିଶା ସରକାର ଏବଂ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣଙ୍କ ଅନୁରୋଧ କ୍ରମେ ମଧ୍ୟପ୍ରଦେଶ ସରକାର ସୁନ୍ଦରୀକୁ ନିଜ ରାଜ୍ୟକୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ସୁନ୍ଦରୀ ରହିବା ପାଇଁ ମଧ୍ୟପ୍ରଦେଶର କାହ୍ନା ଟାଇଭର ରିଜର୍ଭରେ ଆବଶ୍ୟକ ବ୍ୟବସ୍ଥା କରାଯାଉଛି।