ଓଡ଼ିଶା ବିଜ୍ଞାନ ଏକାଡେମୀ ଦ୍ୱାରା ଆୟୋଜିତ ସମ୍ବର୍ଦ୍ଧନା ତଥା ପୁରସ୍କାର ପ୍ରଦାନ ଉତ୍ସବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ଭୁବନେଶ୍ୱରସ୍ଥିତ ଏଡୁସାଟ୍ ଷ୍ଟୁଡିଓ, ଓରସାକ କମ୍ପେ୍ଲକ୍ସଠାରେ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ୨୦୧୮ ମସିହା ପାଇଁ ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଛି। ଏକାଡେମୀର ସଭାପତି ପ୍ରଫେସର ପ୍ରମୋଦ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଏହି ଉତ୍ସବ ଅନୁଷ୍ଠିତ ହୋଇଛି। ବିଜ୍ଞାନ ଓ ବୈଷୟିକ ବିଭାଗର ମାନ୍ୟବର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ବୈଜ୍ଞାନିକମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପ୍ରଫେସର ଶଙ୍କର ପ୍ରସାଦ ପତି ଏବଂ ପ୍ରଫେସର ସୁଦର୍ଶନ ନନ୍ଦଙ୍କୁ ମାନପତ୍ର ଏବଂ ଉତ୍ତରୀୟ ଦେଇ ବରିଷ୍ଠ ବୈଜ୍ଞାନିକ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର ଡ. ସୁବ୍ରତ କୁମାର ଆଚାର୍ଯ୍ୟଙ୍କୁ ‘ବୈଜ୍ଞାନିକ ଉତ୍କର୍ଷ ପାଇଁ ବିଜୁ ପଟ୍ଟନାୟକ ପୁରସ୍କାର’ ଓ ୨ ଲକ୍ଷ ପୁରସ୍କାର ରାଶି, ସ୍ୱର୍ଣ୍ଣ ପ୍ରଲେପ ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା। ସେହିପରି ଡ. ସଂଘମିତ୍ରା ପତି, ପ୍ରଫେସର ଡ.ପ୍ରମିଳା କୁମାରୀ ମିଶ୍ର, ପ୍ରଫେସର ଡ.ସଞ୍ଜୟ କୁମାର ଦାଶ ଏବଂ ଡ.ସ୍ୱରୂପ କୁମାର ପରିଡ଼ାଙ୍କୁ ‘ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର’, ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି, ସ୍ୱର୍ଣ୍ଣ ପ୍ରଲେପ ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା। ଡ.ସନ୍ଦୀପ କୁମାର ପଣ୍ଡା, ଡ.ସୁଧନ୍ୱା ପାତ୍ର, ଡ.ଶଙ୍କର୍ଷଣ ମହାପାତ୍ର ଏବଂ ଡ.କୌଶିକ ପରିଡ଼ାଙ୍କୁ ‘ଓଡ଼ିଶା ଯୁବ ବୈଜ୍ଞାନିକ ପୁରସ୍କାର’, ପ୍ରତ୍ୟେକଙ୍କୁ ୨୫ ହଜାର ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଡ.ରାଜବଲ୍ଲଭ ମହାନ୍ତି ଏବଂ ଡ.ନରେନ୍ଦ୍ର ପ୍ରସାଦ ଦାସଙ୍କୁ ‘ପ୍ରାଣକୃଷ୍ଣ ପରିଜା ଲୋକପ୍ରିୟ ବିଜ୍ଞାନ ପୁସ୍ତକ ପୁରସ୍କାର’ ସହିତ ପ୍ରତ୍ୟେକଙ୍କୁ ୨୫ ହଜାର ପୁରସ୍କାର ରାଶି କରାଯାଇଥିଲା।

ଏହି ଉତ୍ସବରେ ବିଜ୍ଞାନ ଓ ବୈଷୟିକ ବିଭାଗର ପ୍ରମୁଖ ଶାସନ ସଚିବ ସନ୍ତୋଷ କୁମାର ଷଡ଼ଙ୍ଗୀ ସମ୍ମାନୀୟ ଅତିଥି ରୂପେ ଯୋଗଦେଇଥିଲେ। ଏକାଡେମୀର ସମ୍ପାଦକ ଇଂ. ଭଗତ ଚରଣ ମହାନ୍ତି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।