ଆଜିଠାରୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ, ଉପସ୍ଥାପନ ହେବ ଅତିରିକ୍ତ ଖର୍ଚ୍ଚ ଦାବି

ଭୁବନେଶ୍ବର,ଏନ୍ଏନ୍ଏସ୍: କରୋନା କଟକଣା ସହ ଆଜିଠାରୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଆଜି ଗୃହର ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ ହେବ। ଏହାପରେ ଅପରାହ୍ଣ ପର୍ଯ୍ୟନ୍ତ ଗୃହ ମୁଲତବୀ ରହିବ।

ସେହିପରି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ଖର୍ଚ୍ଚ ଦାବି ଉପସ୍ଥାପନ କରିବେ। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୪୦ଟି କାର୍ଯ୍ୟ ଦିବସ ରହିବ।

ସୂଚନାଯୋଗ୍ୟ ଯେ, ଶୀତ ଅଧିବେଶନ ପାଇଁ ବିଧାୟକ, ବିଧାନସଭା କର୍ମଚାରୀ ଓ ଅନ୍ୟାନ୍ୟ ସଦସ୍ୟଙ୍କର କୋଭିଡ୍ ଟେଷ୍ଟ ଶେଷ ହୋଇଛି। ଯେଉଁ କର୍ମଚାରୀମାନେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ସେମାନଙ୍କୁ ଅଧିବେଶନରୁ ବାଦ୍ ଦିଆଯାଇଛି। ସେହିପରି ଯେଉଁ ବିଧାୟକ ଚାହିଁବେ ବିଧାନସଭା ନଆସି ଭିଡିଓ କନଫରେନ୍ସି ଜରିଆରେ ଯୋଗ ଦେଇପାରିବେ ବୋଲି କୁହାଯାଇଛି।

ମୌସୁମୀ ଅଧିବେଶନ ଭଳି ଏଥର ଶୀତ ଅଧିବେଶନରେ ମଧ୍ୟ ପ୍ରଶ୍ନକାଳ ରହିବ ନାହିଁ ବୋଲି ବୁଧବାର ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଛି।