ସାଢ଼େ ୪ ଘଣ୍ଟା ବସିବ ବିଧାନସଭା ଅଧିବେଶନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମହାମାରୀ କରୋନା ପାଇଁ ବିଧାନସଭା ପରିଚାଳନା ବିଧିରେ ପରିବର୍ତ୍ତନ କରାଯାଇଛି। ଆସନ୍ତା ୨୯ ତାରିଖ ଦିନ ୧୧ଟାରୁ ଆରମ୍ଭ ହେବାକୁଥିବା ମୌସୁମୀ ଅଧିବେଶନରେ ପ୍ରତ୍ୟେକ ଦିନ ୨ଟି ପର୍ଯ୍ୟାୟରେ ସାଢ଼େ ୪ ଘଣ୍ଟା ପର୍ଯ୍ୟନ୍ତ ହେବ। ସେହିପରି ପ୍ରଥମ ଦିନ ଶୋକ ପ୍ରସ୍ତାବ ପାରିତ ହେବା ପରେ ଗୃହ ମୁଲତବୀ ଘୋଷଣା କରାଯିବ। ସେହିଦିନ ଅପରାହ୍ନ ୩ଟାରୁ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇ ଅପରାହ୍ଣ ୫ଟାରେ ଶେଷ ହେବ। ଚଳିତ ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ରହିବ ନାହିଁ। ଅନ୍ୟ ଦିନମାନଙ୍କରେ ଗୃହ କାର୍ଯ୍ୟ ପୂର୍ବାହ୍ଣ ୧୦ଟା ୩୦ରୁ ଆରମ୍ଭ ହେବ। ଏନେଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକର ନିଷ୍ପତି ହୋଇଛି।

ସୂଚନା ଅନୁଯାୟୀ କରୋନା କଟକଣା ମଧ୍ୟରେ କିପରି ଗୃହ ପରିଚାଳନା ହେବ ସେନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଗୃହରେ ୧୪୫ ଜଣ ବିଧାୟକଙ୍କ ପାଇଁ ବ୍ୟବସ୍ଥା କରାଯିବ। ତଳମହଲାରେ ବାଚସ୍ପତି ଗ୍ୟାଲେରୀ ଏବଂ ଦର୍ଶକ ଗ୍ୟାଲେରୀରେ ବିଧାୟକଙ୍କ ବସିବା ପାଇଁ ବ୍ୟବସ୍ଥା ହୋଇଛି। ବିଧାୟକମାନେ ବସି ପ୍ରଶ୍ନ ପଚାରି ପାରିବେ ଏବଂ ମନ୍ତ୍ରୀମାନେ ମଧ୍ୟ ବସିକରି ଉତ୍ତର ଦେବେ। ଯେଉଁ ସଦସ୍ୟମାନେ ବିଧାନସଭା ଅଧିବେଶନକୁ ଆସିବେ ନାହିଁ ସେମାନେ ଆଗରୁ ଲେଖି କରି ଜଣାଇବେ। ଏହା ସହ ଅଧିବେଶନ ଆଗରୁ ବିଧାୟକ, ବିଧାନସଭା କର୍ମଚାରୀ, ଷ୍ଟାଫ୍ ଡ୍ରାଇଭର ଓ ପିଏସଓଙ୍କ କୋଭିଡ ପରୀକ୍ଷା କରାଯିବ। ଆସନ୍ତାକାଲି ସକାଳ ୮ଟାରୁ କୋଭିଡ ପରୀକ୍ଷା ଆରମ୍ଭ ହେବ ବୋଲି ବାଚସ୍ପତି କହିଛନ୍ତି।