ଏସିଆ କପ୍‌ ହକି: ଆଜି ଭାରତ-ପାକିସ୍ତାନ ଲଢେଇ

ଜାକର୍ତ୍ତା,ଏଜେନ୍ସି: ଇଣ୍ଡୋନେସିଆରେ ଆଜିଠୁ (ସୋମବାର) ଆରମ୍ଭ ହେଉଛି ପୁରୁଷ ଏସିଆ ହକି କପ୍‌। ପ୍ରଥମ ଦିନରେ ୪ଟି ମ୍ୟାଚ୍‌ ଖେଳାଯିବ। ପୁଲ ଏ’ରେ ସ୍ଥାନ ପାଇଥିବା ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ଆଜି ପରସ୍ପରକୁ ଭେଟିବେ। ଏହି ହାଇଭୋଲଟେଜ ମ୍ୟାଚକୁ ହକି ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଭରି ରହିଛି। ଜାକର୍ତ୍ତାର ଗେଲୋରା ବଙ୍ଗ କର୍ନୋ ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ଅପରାହ୍ନ ୫ଟାରେ ମ୍ୟାଚ୍‌ ଆରମ୍ଭ ହେବ।

ଭାରତୀୟ ହକି ଦଳର ମଙ୍ଗ ଧରିଛନ୍ତି ଓଡିଆ ହକି ତାରକା ତଥା ଅଲିମ୍ପିଆନ ବିରେନ୍ଦ୍ର ଲାକ୍ରା। ବିରେନ୍ଦ୍ରଙ୍କ ନେତୃତ୍ବରେ ଏସିଆ କପ ପାଇଁ ଦଳ ଜୋରଦାର ପ୍ରସ୍ତୁତି କରିଛି। ଆଗକୁ ୨୦୨୩ ରାଜ୍ୟଗୋଷ୍ଠୀ କ୍ରୀଡାକୁ ଦୃଷ୍ଟିରେ ରଖି ଦଳର ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି। ୨୦୧୭ ସଂସ୍କରଣରେ ଭାରତ ଫାଇନାଲରେ ମାଲେସିଆକୁ ହରାଇ ତୃତୀୟ ଥର ପାଇଁ ଚମ୍ପିଆନ ହୋଇଥିଲା। ଭାରତ ଓ ପାକିସ୍ତାନ ଦଳ ୩ ଥର ଲେଖାଏଁ ଏସିଆ କପ ଚାମ୍ପିଆନ ହୋଇଛନ୍ତି। ତେଣୁ ଆଜି ଦୁଇଦଳ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିବ।

ପାକିସ୍ତାନ ଦଳ ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ନେଇ ସନ୍ତୁଳିତ ଅଛି। ଏସିଆ କପରେ ଶ୍ରେଷ୍ଠ ପ୍ରଦର୍ଶନ କରି ୨୦୨୩ ବିଶ୍ବକପରୁ ଟିକେଟ ହାତେଇବାକୁ ଲକ୍ଷ୍ୟ ରଖିଛି ଦଳ। ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଚାପ ରହିବ। ଚାପ ସମ୍ଭାଳିପାରି ଭଲ ପ୍ରଦର୍ଶନ କଲେ ଭାରତ ପାଇଁ ବିଜୟ ସହଜ ହେବ। ଭାରତ ଏବଂ ପାକିସ୍ତାନ ପରସ୍ପରକୁ ୧୭୭ ଥର ଭେଟିଛନ୍ତି। ହେଡ ଟୁ ରେକର୍ଡ ୮୨-୬୪ରେ ପାକିସ୍ତାନ ଆଗୁଆ ରହିଛି। ୨୦୧୮ କମନୱେଲଥ ଗେମ୍ସରେ ଏକମାତ୍ର ଭାରତ ଗତ ୧୩ଟି ମ୍ୟାଚ ମଧ୍ୟରୁ ୧୨ଟି ଜିତିଛି। ୨୦୧୬ ଦକ୍ଷିଣ ଏସିଆନ୍ ଗେମ୍ସ ଫାଇନାଲରେ ପାକିସ୍ତାନ ଶେଷ ଥର ପାଇଁ ଭାରତକୁ ପରାସ୍ତ କରିଥିଲା।

ପ୍ରଥମ ଦିନରେ ପୁଲ ଏ ମ୍ୟାଚରେ ଖେଳାଯିବାକୁ ଥିବା ଅନ୍ୟ ୩ଟି ମୁକାବିଲା ଜାପାନ ଓ ଇଣ୍ଡୋନେସିଆ, ଗ୍ରୁପ-ବି’ରେ ମାଲେସିଆ ଓ ଓମାନ ଏବଂ ଦକ୍ଷିଣ କୋରିଆ ଓ ବାଂଲାଦେଶ ମଧ୍ୟରେ ଖେଳାଯିବ। ଦକ୍ଷିଣ କୋରିଆ ସର୍ବାଧିକ ୪ ଥର ବିଜେତା ହୋଇଛି।